ନୂଆ ଆର୍ଆଇ ଅଫିସ ଲୋକାର୍ପଣ କଲେ ସାଂସଦ ଅପରାଜିତା
1 min read
ଭୁବନେଶ୍ୱର: ସ୍ଥାନୀୟ କଲ୍ଯାଣପୁର ପଞ୍ଚାୟତ ଅର୍ନ୍ତଗତ ନୂଆବନ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନୂତନଭାବେ ପ୍ରତିଷ୍ଠିତ ରାଜସ୍ବ ନିରୀକ୍ଷକ (ଆର୍ଆଇ) ଅଫିସ ଉଦ୍ଘାଟନ କରିଛନ୍ତି | ଏହି ଆର୍ଆଇ ଅଫିସ୍ ଦ୍ୱାରା ୨ ପଞ୍ଚାୟତ ୧୧ ରାଜସ୍ବ ଗ୍ରାମର ପ୍ରାୟ ୨୦ ହଜାର ଲୋକ ଉପକୃତ ହେବେ | ଗ୍ରାମ୍ଯ ଉନ୍ନୟନ (ଆର୍ଡି) ବିଭାଗ ପକ୍ଷରୁ ପ୍ରାୟ ୧.୪୦ କୋଟି ଟଙ୍କା ବ୍ଯୟରେ ଉକ୍ତ ଅଫିସ୍ ନିର୍ମାଣ କରାଯାଇଛି| ଦୀର୍ଘଦିନର ସ୍ବପ୍ନ ସାକାର ହୋଇଥିବାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଶ୍ରୀମତୀ ଷଡଙ୍ଗୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି|
ପୁର୍ବରୁ ୧୦ କିମି ଦୁରରେ ଥିବା ଆରଆଇ ଅଫିସ୍ ଉପରେ ସ୍ଥାନୀୟ ଲୋକେ ଜମିବାଡି ମାପଚୁପ, ବାର୍ଦ୍ଧକ୍ଯ ଭତ୍ତା, ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଦାଖଲ ଖାରଜ ମାମଲା ଭଳି ବିଭିନ୍ନ କାର୍ଯ୍ଯ ଲାଗି ନିର୍ଭର କରୁଥିଲେ | ଏଥିପାଇଁ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମବ୍ଯକ୍ତିମାନେ ବହୁ ପରିଶ୍ରମକରି ପୂର୍ବରୂ ଥିବା ଆର୍ଆଇ ଅଫିସ୍ ଯାଉଥିଲେ| ନୂଆବନ୍ତରେ ଆର୍ଆଇ ଅଫିସ୍ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଜନସାଧାରଣ ପ୍ରାୟ ୨୦ ବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରିଆସୁଥିଲେ| ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କୁ ଭେଟି ସ୍ଥାନୀୟ ଲୋକେ ସମସ୍ଯା ବିଷୟରେ ଜଣାଇଥିଲେ| ଶ୍ରୀମତୀ ଷଡଙ୍ଗୀ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଆର୍ଡି ବିଭାଗ ଉଚ୍ଚଅଧିକାରୀଙ୍କ ସହିତ୍ ଆଲୋଚନା କରିବାପରେ ଅର୍ଥ ମଞ୍ଜୁର କରାଯାଇଥିଲା|
ଉଦ୍ଘାଟନ ଉତ୍ସବରେ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ସମେତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୂପମା ସାହୁ, ଜିଲ୍ଲା ପରିଷଦ (୩୦ ନଂ ଜୋନ୍) ସଭ୍ଯା ବବିତା ରାଉତ, କଲ୍ଯାଣପୁର ସରପଞ୍ଚ ଦେବରାଜ ଭୋଇ, ସମିତି ସଭ୍ଯ ଭୁବନ ମୋହନ ଦାସ ପ୍ରମୁଖ ଯୋଗଦେଇଥିଲେ| ନୂତନ ଆର୍ଆଇ ଅଫିସ ଖୋଲାଯିବା ପରେ ଲୋକଙ୍କ ମଧ୍ଯରେ ଖୁସିର ଲହରି ଖେଳିଯାଇଛି|