ବିଷାକ୍ତ ମଦ ନେଲା ଜୀବନ
1 min readବ୍ରହ୍ମପୁର : ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ । ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ପି’ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଆଉ ୨ ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ମୃତକଜଣଙ୍କ ହେଲେ ଜେନାପୁରର ଜୁର ବେହେରା । ଗତକାଲି ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଫୋନ କରି ସୂଚନା ଦେଇଛନ୍ତି ମୃତକଙ୍କ ସାନପୁଅ ଶିବ ବେହେରା। ଜୁର ବେହେରାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ବିଷାକ୍ତ ମଦ ମୃତ୍ୟୁ କୁ ନେଇ ଚିକିଟି-ଦିଗପହଣ୍ଡି ମୁଖ୍ୟ ବଜାରରେ ମୃତଦେହ ରଖି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଦାବି କରିଛନ୍ତି ଉତ୍ୟକ୍ତ ଲୋକେ ।
ସୂଚନାନୁସାରେ,ଗତ ୧୮ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଚିକିଟି ଏନଏସି ଅନ୍ତର୍ଗତ କରବାଳୁଆ ଓ ଜେନାପୁରର ମାଉନ୍ଦୁପରୁ ଗାଁରେ ୨୦ ରୁ ଅଧିକ ଲୋକ ବିଷାକ୍ତ ମଦ ପି’ଅସୁସ୍ଥ ହୋଇପଡିଥିଲେ ।ଗାଁରେ ରନ୍ଧା ଦେଶୀ ମଦ ପି’ଝାଡା ବାନ୍ତିରେ ଆକ୍ରାନ୍ତ ହୋଇପଡିଥିଲେ । ଅସୁସ୍ଥମାନଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ୧୩ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମୃତକ ଜୁର ବେହେରାଙ୍କ ସହିତ ଆଉ ୨ ଜଣ ଆଇସିୟୁରେ ଭର୍ତି ହୋଇଥିବାବେଳେ ଜୁର ବେହେରାଙ୍କର ଗତକାଲି ମଧ୍ୟରାତ୍ରିରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ଗତକାଲି କେ. ନୂଆଗାଁ ପୋଲିସ ଦ୍ୱାରା ୫ ଜଣ ଗିରଫ ହୋଇଥିବା ବେଳେ ଆଜି ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି ।