September 8, 2024

ହିନ୍ଦୋଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

1 min read

ହିନ୍ଦୋଳ: ହିନ୍ଦୋଳରେ ପୁଣି ଫୁଟିଛି ଗୁଳି। ବିଚ୍‌ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପଛ‌ରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ବାଲିମି ଥାନା ମାହାଲୁଣ୍ଡା ଗ୍ରାମର ତ୍ରିନାଥ ସାହୁଙ୍କ ପୁଅ ସୁବାସ ସାହୁ (୨୪) ବୋଲି ଜଣାପଡ଼ିଛି। ପୁଲିସ ଜଣେ ଅଭିଯୁକ୍ତକୁ କାବୁ କରିଥିବାବେଳେ ଅନ୍ୟ ଜ‌ଣେ ଫେରାର ହୋଇ ଯାଇଛି। ସୂଚନା ମୁତାବକ, ଆଜି ସୁବାସ କୌଣସି କାମରେ

ହିନ୍ଦୋଳ ଆସି ଘରକୁ ଫେରୁଥିଲେ। ଅପରାହ୍‌ଣ ପ୍ରାୟ ୪ଟା ବେଳେ ନୂଆବଗ ଶନି ମନ୍ଦିର ନିକଟରେ ଦୁଇଜଣ ଯୁବକ ତାଙ୍କୁ ପଛପଟୁ ଗୁଳିମାଡ଼ କରିଥିଲେ। ସୁବାସଙ୍କ ବାମ ପାର୍ଶ୍ବ ଛାତିରେ ୨ରାଉଣ୍ଡ ଗୁଳି ବାଜିଥିଲା। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଗୁଳି ଫୁଟାଇ ଅଭିଯୁକ୍ତମାନେ ପଳାଉଥିବ‌ାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଡ଼ାଇଥିଲେ। ଅଭିଯୁକ୍ତମାନେ ଜଙ୍ଗଲ ଭିତରେ ପଶି ଯାଇଥିଲେ। ପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରାଯାଇଥିଲା। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ତାଙ୍କର ପରିଚୟ ମିଳିପାରିନାହିଁ। ଅଭିଯୁକ୍ତ ପାଖରୁ କଟୁରି ଓ ଫାର୍ସା ଜବତ ହୋଇଥିବା ଜଣାପଡ଼ିଛି।


ଅନ୍ୟପଟେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ମୃତ ସୁବାସ ମାହାଲୁଣ୍ଡା ଜଳ ବିଭାଜିକା ବିଭାଗରେ ସଦସ୍ୟ ଭାବେ କାମ କରୁଥିଲେ। ଗତ ନିର୍ବାଚନରେ ସେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିଲେ। ତେଣୁ ତାଙ୍କୁ ବିଭିନ୍ନ ସମୟରେ ଧମକ ଆସୁଥିବା କୁହାଯାଉଛି। ଏପରିକି ନିର୍ବାଚନ ସମୟରେ ତାଙ୍କୁ ଟଙ୍କା ନେଇ ଚୁପ୍‌ ବସିବାକୁ କୁହାଯାଇଥିବା ତାଙ୍କ ବନ୍ଧୁ ନ‌ାମ ଗୋପନସୂତ୍ରରେ କହିଛନ୍ତି। ହେଲେ ସୁବାସ ‌ଏଥିରେ

ରାଜି ହୋଇ ନଥିଲେ। ସେଥିପାଇଁ ଏହି ହତ୍ୟାକାଣ୍ଡ ‌ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅଟକ ଯୁବକ ଜଣକ ଅଣଓଡ଼ିଆ ହୋଇଥିବା ସୂଚନା ମିଳିଛି। ତେଣୁ ସୁବାସଙ୍କୁ

ହତ୍ୟା ପାଇଁ କେହି ସୁପାରି ଦେଇଥିବା ଚର୍ଚ୍ଚା ହେଉଛି।
ସ୍ପଷ୍ଟ ଦିବାଲୋକରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ସପ୍ତାହକ ଭିତରେ ହିନ୍ଦୋଳରେ ଏହା ଦ୍ବିତୀୟ ଗୁଳିମାଡ଼ ଘଟଣା। ଅଳ୍ପଦିନ ଭିତ‌ରେ ଦୁଇ ଦୁଇଟି

ଗୁଳିକାଣ୍ଡ ହିନ୍ଦୋଳ‌ରେ ଆଇନ୍‌ଶୃଙ୍ଖଳା ସ୍ଥିତିକୁ ପଦାରେ ପକାଇଛି। ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲାଗିଛି। ନିକଟରେ ଗୋ-ଚାଲାଣକୁ ନେଇ ଗୁଳିମାଡ଼ ହୋଇଥିଲା। ଆତତାୟୀମାନେ ରାଜରାସ୍ତାରେ ଆତଙ୍କ

ଖେଳାଇଥିଲେ। ଏବେ ରାଜନୈତିକ ଶତ୍ରୁତାରେ ଜଣଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଲୋକେ ଦିନ ଦ୍ବିପହରେ ବି ସୁରକ୍ଷିତ ନୁହନ୍ତି ‌କି ବୋଲି ପ୍ରଶ୍ନ ଉଠିଛି। ହିନ୍ଦୋଳରେ ପୁଲିସ କ’ଣ କରୁଛି ବୋଲି ସାଧାରଣ ଲୋକେ ପ୍ରଶ୍ନ

କଲେଣି। ପ୍ରଥମ ଘଟଣାରେ ଅଭିଯୁକ୍ତମାନେ ଧରା ପଡ଼ି ନଥିବାବେଳେ ଆଉ ଏକ ଗୁଳିମାଡ଼ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *