October 18, 2024

ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ

1 min read

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯିବ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ ହେବ। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମାମଲାରେ ହୋଇଥିବା ସବୁ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍‌ କରିଛି ଗୃହ ବିଭାଗ।

ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଏହି ମାମଲାରେ ଜଡ଼ିତ ଥିବା ବ୍ୟକ୍ତିବିଶେଷ ଓ କର୍ତ୍ତୃପକ୍ଷଙ୍କ ଦାୟିତ୍ଵବୋଧକୁ ତଦନ୍ତ ପରିସରଭୁକ୍ତ କରିବାକୁ କୁହାଯାଇଛି। ଘଟଣା ସହ ଆଉ କିଛି ଜଡ଼ିତ ଆଉ କିଛି ପ୍ରସଙ୍ଗକୁ ଦୃଷ୍ଟି ଦେବାକୁ କୁହାଯାଇଛି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେନେଇ ପରାମର୍ଶ ଦେବାକୁ କମିଶନଙ୍କୁ କୁହାଯାଇଛି।

ତଦନ୍ତ କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ଵରରେ ରହିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ତେବେ ଆବଶ୍ୟକ ପଡ଼ିଲେ କମିଶନ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି ମାମଲାରେ ଚାଲୁଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିବ।

“ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ମାମଲାର ୨ଟି ତଦନ୍ତ ହେଉଛି। କ୍ରାଇମବ୍ରାଞ୍ଚ ସହ ବିଚାର ବିଭାଗୀୟ ତଦନ୍ତ କରାଯିବ। ରାଜ୍ୟରେ ମହିଳାମାନଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ। ଏହି ମାମଲାର ଶୀଘ୍ର ସମାଧାନ ହେବ ବୋଲି ଆମେ ଆଶାବାଦୀ ଅଛୁ”, କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ରବିବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୬୦ ଦିନ ମଧ୍ୟରେ କମିଶନ ରିପୋର୍ଟ ଦେବେ।

Leave a Reply

Your email address will not be published. Required fields are marked *