March 12, 2025

ରିକ୍ଟର ସ୍କେଲରେ ତୀବ୍ରତା ୫.୧, ସକାଳ ୬.୧୦ରେ ୮ ଜିଲ୍ଲାରେ କମ୍ପନ

1 min read

ଭୁବନେଶ୍ବର: ସକାଳ ୬ଟା ୧୦ ମିନିଟ୍‌ ୨୫ ସେକେଣ୍ଡ୍‌। କିଏ ଶୋଇଥାନ୍ତି ତ ଆଉ କିଏ ନିଦରୁ ଉଠୁଥାନ୍ତି। ଏଭଳି ଏକ ସମୟରେ ହଠାତ୍‌ ମୃଦୁ ଭୂମିକମ୍ପ ଝଟ୍‌କା ଅନୁଭୂତ ହେଲା। କେହି କିଛି ବୁଝିପାରିଲେ ନାହିଁ। ଶୋଇଥିବା ଲୋକେ ତ କିଛି ଜାଣିପାରି ନ ଥିଲେ। ଯେଉଁମାନେ ନିଦରୁ ଉଠିଥିଲେ ସେମାନେ ହଡ଼ବଡ଼େଇ ଗଲେ ଏବଂ ଘର ବାହାକୁ ଚାଲି ଆସିଲେ। ପାଦ ତଳ ଥରିଉଠିବାରୁ କେହି କେହି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଆଜି ସକାଳୁ ହିଁ ଉପକୂଳ ଓଡ଼ିଶାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଭୁବନେଶ୍ବର, ବାଲେଶ୍ବର, ବାରିପଦା, ଭଦ୍ରକ, ପାରାଦୀପ ପରି ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଲୋକଙ୍କ ମଧ୍ୟରେ ଦିନ ସାରା ଭୟର ବାତାବରଣ ସୃଷ୍ଟି କରିଥିଲା।

ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନ ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି (ଏନ୍‌ସିଏସ୍‌)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସକାଳ ୬ଟା ୧୦ରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ଥିଲା। ଭାରତ ସମେତ ବାଂଲାଦେଶର ଅଧିକାଂଶ ସ୍ଥାନରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ବଙ୍ଗୋପସାଗର ଉପକୂଳରେ ଥିବା ଓଡ଼ିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଭାବ ପଡ଼ିଛି। ଓଡ଼ିଶା ଉପକୂଳଠାରୁ ପ୍ରାୟ ୩୦୦ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା। ପୁରୀଠାରୁ ଭୂମିକମ୍ପର କେନ୍ଦ୍ରସ୍ଥଳର ଦୂରତା ୨୮୬ କିମି ଥିବାବେଳେ ଭୁବନେଶ୍ବରରୁ ୨୯୭କିମି, ବ୍ରହ୍ମପୁରଠାରୁ ୩୯୪ କିମି ଏବଂ ପଶ୍ଚିମବଙ୍ଗର ହଳଦିଆଠାରୁ ୨୮୬ ଓ କଲିକତାଠାରୁ ୩୪୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା। ଏହା ଭୂପୃଷ୍ଠରୁ ୯୧ କିମି ଗଭୀରରେ ସୃଷ୍ଟି ହୋଇଥିବାରୁ ରାଜ୍ୟର କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ତେବେ ଭୂମିକମ୍ପ ଜୋନ୍‌ ଅନୁଯାୟୀ ଓଡ଼ିଶାର ଖୋର୍ଦ୍ଧା(ଭୁବନେଶ୍ୱର), କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଏନ୍‌ସିଏସ୍‌ ପକ୍ଷରୁ ସୂଚନା ମିଳିଛି।

ବିଶେଷଜ୍ଞମାନଙ୍କ କହିବା କଥା ହେଉଛି ଯେ ଏହି ଭୂମିକମ୍ପ ସେତେଟା ଶକ୍ତିଶାଳୀ ନ ଥିଲା। ଭୂପୃଷ୍ଠରୁ ଏହାର ଗଭୀରତା ୯୧ କିମି ରହିଥିବାରୁ ପ୍ରଭାବ କମ୍‌ ରହିଥିଲା। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ। ବହୁତ ଗଭୀରତା ହେବା ଯୋଗୁଁ ବଡ଼ ବିପଦ ଟଳିଯାଇଛି। ଏଭଳି ଭୂମିକମ୍ପ ଦ୍ବାରା ବିଶେଷ କିଛି କ୍ଷତି ହେବ ନାହିଁ। ଏଥିସହ ଭୂମିକମ୍ପର ଦୂରତା ଉପକୂଳ ଓଡ଼ିଶାରୁ ୧୦୦ କିମି ରହିଥିବାରୁ ପ୍ରଭାବ କମ୍‌ ରହିଥିଲା। ଭୂମିକମ୍ପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସୁନାମୀ ଭୟ ସମ୍ଭାବନା ଅଧିକ ରହୁଛି। ତେବେ ଆଜିର ଭୂମିକମ୍ପ ଗଭୀରତା ଅଧିକ ରହିଥିବାରୁ ତାହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବ ନାହିଁ। ଗୋଟିଏ ବଡ଼ ଝଟ୍‌କା ପରେ ଛୋଟ ଛୋଟ ଝଟ୍‌କା ଆସିପାରେ ବୋଲି ସେମାନେ ଆକଳନ କରିଛନ୍ତି।

ଭୂ-ବିଜ୍ଞାନୀଙ୍କ ମତରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ରୁ ୫.୯ ମଧ୍ୟରେ ରହିଲେ ମଧ୍ୟମଧରଣର ବୋଲି ଧରାଯାଏ। ଦୁର୍ବଳ କୋଠାଗୁଡ଼ିକ ଉପରେ ଏହା ପ୍ରଭାବ ପକାଇଥାଏ। କାନ୍ଥ ଫାଟିବା, ଘରର ସାମଗ୍ରୀ ପଡ଼ିଯିବାର ସମ୍ଭାବନା ଅଧିକ ରହିଥାଏ। ପୂର୍ବରୁ ୨୦୧୪ ମେ’ ୨୧ ରାତି ୯ଟା ୫୧ ମିନିଟ୍‌ ୪୦ ସେକେଣ୍ଡ୍‌ରେ ଯେଉଁ ଭୂମିକମ୍ପ ହୋଇଥିଲା ତାହାର ଗଭୀରତା ଭୂପୃଷ୍ଠରୁ ମାତ୍ର ୧୦ କିମି ତଳେ ଥିଲା। ରିକ୍ଟର ସ୍କେଲରେ ତ୍ରୀବ୍ରତା ୬.୦ ରେକର୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୫ ଏପ୍ରିଲ ୨୫ରୁ ମେ’ ୧୨ ମଧ୍ୟରେ ୬ଥର ଭୂମିକମ୍ପ ହୋଇଥିଲା।