March 11, 2025

ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି

1 min read

ଭୁବନେଶ୍ବର: ସାରା ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ପଶ୍ଚିମଠାରୁ ଉପକୂଳ ହେଉ ଅବା ଉତ୍ତରରୁ କେନ୍ଦ୍ରୀୟ ଓଡ଼ିଶା, ଆଜିଠାରୁ ସବୁଠି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଯାଉଛି। ସୋମବାର ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ଓ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରି ଛୁଇଁପାରେ। ୧୧ ତାରିଖରେ ଏହି ସହରଗୁଡ଼ିକର ତାପମାତ୍ରା ଆଉ ଟିକିଏ ବୃଦ୍ଧି ପାଇ ୪୧ ଡିଗ୍ରିରେ ପହଞ୍ଚିବ। ଏଥିସହ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ହେବାକୁ ଥିବା ବେଳେ ଅନୁଗୁଳ ଢେଙ୍କାନାଳ, ରାଉରକେଲା, ପାରଳାଖେମୁଣ୍ଡିରେ ୩୯ ଡିଗ୍ରି ହେବ। ୧୨ ତାରିଖ ବେଳକୁ ଅଧା ଓଡ଼ିଶା ୪୦ ଡିଗ୍ରି ଉପରକୁ ଡେଇଁଯିବ। ଅର୍ଥାତ୍‌ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ସମେତ ଭୁବନେଶ୍ବର, ଖୋର୍ଦ୍ଧା, ବାରିପଦା, କଟକ, ମାଲକାନଗିରି ତାପମାତ୍ରା ୪୦ ଡିଗ୍ରି ନିକଟରେ ପହଞ୍ଚିବ। ୧୩ ତାରିଖ ବେଳରେ ସମ୍ପୂର୍ଣ୍ଣ ଓଡ଼ିଶା ତତଲା ତାଉଆରେ ଭାଜି ହେବ। ଅର୍ଥାତ୍‌ ବରଗଡ଼, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ନୂଆପଡ଼ାଠାରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଛୁଇଁବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯିବା ସହ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି।