September 19, 2024

ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍‌’ ଉନ୍ମୋଚିତ

1 min read

ବାଲେଶ୍ଵର: ବାଲେଶ୍ଵରରେ ଗଣେଶ ପୂଜା ଅବସରରେ ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍’ ଉନ୍ମୋଚିତ ହୋଇଛି। ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଫକୀରମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ।

‘ଚନ୍ଦ୍ରଭାଗା’ ପ୍ରକାଶନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସମସ୍ତେ ପୁସ୍ତକରେ ଥିବା କବିତାଗୁଡ଼ିକୁ ଅନେକ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ‘କ୍ରାଉନ୍ ଅଫ୍ ମେମୋରିଜ୍’ ପୁସ୍ତକର ସ୍ରଷ୍ଟା କବୟିତ୍ରୀ ଯଶୋଧାରା ଦାସ ନିଜ ଇଂରାଜୀ କବିତା ସର୍ଜନା ପଛରେ ଥିବା ପ୍ରେରଣା ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହ ସେ ଏହି କବିତା ବହି ଲେଖିବା ସମୟର ଅନୁଭୂତି ବିଷୟରେ କହିଥିଲେ।

ଏଠାରେ ‘ଚନ୍ଦ୍ରଭାଗା’ ପ୍ରକାଶନ ସହ ଜଡ଼ିତ ଚିତ୍ରଶିଳ୍ପୀ ଡକ୍ଟର ଦୀନାନାଥ ପାଠୀଙ୍କ ପୁତ୍ର ଚିତ୍ରଶିଳ୍ପୀ ତଥା ଗବେଷକ ଡକ୍ଟର ସୌଭାଗ୍ୟ ପାଠୀଙ୍କ ବିୟୋଗରେ ଉପସ୍ଥିତ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା କଥାକାର କୃଷ୍ଣ କୁମାର ମହାନ୍ତି, ଇଂରାଜୀ ସାହିତ୍ୟର ଗବେଷକ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଡକ୍ଟର ଶ୍ରୀମୟ ଦାସଅଧିକାରୀ, ବିଶିଷ୍ଟ କବି ମନୁ ଦାଶ ଓ କବି ଶ୍ରୀଦେବ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *