September 18, 2024

ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୯ ପଦକ ସହ ଭାରତର ସର୍ବକାଳୀନ ରେକର୍ଡ

1 min read

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ପ୍ରତିଯୋଗିତାରେ ମୋଟ ୨୯ଟି ପଦକ ଜିତି ଭାରତୀୟ ଖେଳାଳିମାନେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଛି। ପାରା ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ୧୮ତମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛି।

ଚଳିତ ପାରା ଅଲିମ୍ପିକ୍ସରେ ଭାରତର ମୋଟ ପଦକ ମଧ୍ୟରୁ କେବଳ ଆଥଲେଟିକ୍ସ ଇଭେଣ୍ଟରୁ ୧୭ଟି ପଦକ ଆସିଛି। ସେହିପରି ଭାରତୀୟ ଖେଳାଳିମାନେ ପାରା ବ୍ୟାଡମିଣ୍ଟନରୁ ୫ଟି, ପାରା ସୁଟିଂରୁ ୪ଟି, ପାରା ତିରନ୍ଦାଜୀରୁ ୨ଟି ଏବଂ ଜୁଡୋରୁ ଗୋଟିଏ ପଦକ ହାସଲ କରିଛନ୍ତି।

ପାରା ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ପୂର୍ବ ରେକର୍ଡଗୁଡିକୁ ଭାଙ୍ଗିଛି। ଗତ ଟୋକିଓ ପାରା ଅଲିମ୍ପିକ୍ସ ୨୦୨୦ରେ ଭାରତ ମୋଟ ୧୯ଟି ପଦକ ଜିତିଥିଲା। ସେଥିରେ ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ପଦକ ସାମିଲ ଥିଲା। ଉକ୍ତ ପ୍ରତିଯୋଗିତାରେ ଭାରତ ୨୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।

ସେହିପରି ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସରେ ଚୀନ ମୋଟ ୨୨୦ଟି ପଦକ ସହ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହାପରେ ୧୨୪ଟି ପଦକ ସହ ଗ୍ରେଟ ବ୍ରିଟେନ ଦ୍ଵିତୀୟ ସ୍ଥାନରେ ଏବଂ ୧୦୫ଟି ପଦକ ସହ ଆମେରିକା ତୃତୀୟ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *