ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ
1 min readଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ପର୍ଥରେ ଖେଳାଯାଉଥିବା ଏହି ଟେଷ୍ଟରେ ଦମଦାର ସ୍ଥିତରେ ରହିଛି ଭାରତ। ତେବେ ପ୍ରଥମ ଦିନ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଟିମ୍ ଇଣ୍ଡିଆ ପରେ ଚମତ୍କାର ବୋଲିଂ ବଳରେ ମ୍ୟାଚକୁ ନିଜ କବ୍ଜାରେ ରଖିବାରେ ସଫଳ ହୋଇଛି।
ଭାରତ ପ୍ରଥମ ଇନିଂସରେ ୧୫୦ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିବାବେଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୬୭ ରନରେ ୭ ୱିକେଟ ହରାଇଛି।
ଏହି ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ୍ ଓ କେଏଲ୍ ରାହୁଲ ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚରେ ଭାରତର ଦୁଇ ଯୁବ ଖେଳାଳି ନୀତିଶ ରେଡ୍ଡୀ ଓ ହର୍ଷିତ ରାଣାଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିଥିଲା।
ତେବେ ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଯଶସ୍ଵୀ ଜୟସ୍ଵାଲ୍ ଶୂନରେ ଆଉଟ ହୋଇଥିଲେ। ଏହାପରେ ଅଳ୍ପ ଅଳ୍ପ ରନ ବ୍ୟବଧାନରେ ଟିମ୍ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଲା। ଏପରିକି ବିରାଟ କୋହଲୀ ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ। ଦଳ ପ୍ରଥମ ଇନିଂସରେ ୧୫୦ ରନ କରି ଅଲଆଉଟ୍ ହୋଇଥିଲା
ଏହାପରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ଇନିଂସର ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ତେବେ ଆରମ୍ଭରୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦଳର ଟପ୍ ଅର୍ଡରର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ମାତ୍ର ୪୦ ରନ ଭିତରେ ଅଷ୍ଟ୍ରେଲିଆର ୫ ୱିକେଟର ପତନ ଘଟିଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୭ ୱିକେଟ ହରାଇ ୬୭ କରିଛି। ଭାରତୀୟ ଅଧିନାୟକ ଯଶପ୍ରିତ ବୁମରା ସର୍ବାଧିକ ୪ ୱିକେଟ୍ ହାସଲ କରିଛନ୍ତି।