September 7, 2024

ଜୀବନ ର ଶେଷ ନିଦ୍ରା ରେ ,ଓଡ଼ିଶାର ପ୍ରଥମ ଛାପା ଗଣମାଧ୍ୟମ ଫଟୋଗ୍ରାଫର: ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ

1 min read

ବାରିପଦା: ଓଡ଼ିଶାର ପ୍ରଥମ ଛାପା ଗଣମାଧ୍ୟମ ଫଟୋଗ୍ରାଫର ମୟୂରଭଞ୍ଜ ଜିଲ୍ଲାର ଶତାୟୁ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଆଉ ନାହାନ୍ତି। ୧୦୧ ବର୍ଷ ବୟସରେ ଆଜି ସକା‌ଳେ ବାରିପଦା ଦେଉଳସାହିସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି।

ଖବର ପାଇ ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ଣ୍ଣଚନ୍ଦ୍ର ଏକାଧାରରେ ଜଣେ ସଫଳ ଫଟୋଗ୍ରାଫର, ଚିତ୍ରଶିଳ୍ପୀ, ବାସ୍ତୁବିତ୍, ମୁଦ୍ରଣ ଲିପି ସଂସ୍କାରକ, ସାହ୍ୟିତିକ, ରଥ ଶିଳ୍ପୀ, ଅଭିନେତା ଓ ନାଟ୍ୟକାର ଥିଲେ। ପିଲାବେଳୁ କ୍ୟାମେରା ପ୍ରତି ଥିବା ଦୁର୍ବଳତା ତାଙ୍କୁ ପରବର୍ତ୍ତୀ ସମୟରେ ବିଖ୍ୟାତ ଫଟୋଗ୍ରାଫରର ପରିଚୟ ଦେଇଥିଲା।

ବିଭିନ୍ନ ଆନ୍ତର୍ଜାତିକ ଫଟୋ ଗ୍ୟାଲେରିରେ ପୂର୍ଣ୍ଣଚନ୍ଦ୍ରଙ୍କ କ୍ୟାମେରା ଲେନ୍‌ସ ଦ୍ବାରା କଏଦ ହୋଇଥିବା ଛବି ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ସଂପାଦନାରେ ପ୍ରକାଶ ପାଉଥିବା ‘ଦିଗନ୍ତ ପତ୍ରିକାର ପ୍ରଚ୍ଛଦରେ ‘ଛାଇ ଆଲୁଅର ରାସ ଶୀର୍ଷକ ପୂର୍ଣ୍ଣଚନ୍ଦ୍ର ଉଠାଇଥିବା ଏକ ଫ‌ଟୋ ସ୍ଥାନ ପାଇ ବେଶ୍‌ ପ୍ରଶଂସା ସାଉଁଟିଥିଲା। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ପୁସ୍ତକର ପ୍ରଚ୍ଛଦ ପାଇଁ ପୂର୍ଣ୍ଣଚନ୍ଦ୍ରଙ୍କ ଉତ୍ତୋଳିତ ତାଙ୍କର ଗୋଟିଏ ଫାଟାକୁ ବଛାଯାଇଥିଲା।

Leave a Reply

Your email address will not be published. Required fields are marked *