ଆଇଆଇଏମ୍ସି ଢେଙ୍କାନାଳ ପକ୍ଷରୁ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ
1 min read
ଢେଙ୍କାନାଳ: ଆଇଆଇଏମ୍ସି ଢେଙ୍କାନାଳ ଏବଂ ଢେଙ୍କାନାଳସ୍ଥିତ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଆଇଆଇଏମ୍ସି ଢେଙ୍କାନାଳର ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଗଣମାଧ୍ୟମ, ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ଥିବା କ୍ୟାରିୟର ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଏହାସହ ଆଇଆଇଏମ୍ସି ଢେଙ୍କାନାଳର ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ଚଳିତ ବର୍ଷ ୨୫ ବର୍ଷ ପୂରଣ କରିବାକୁ ଯାଉଛି। ଏଣୁ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ବିଭିନ୍ନ ଦିଗ ତଥା କ୍ୟାରିୟର ସୁଯୋଗ ଏବଂ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସେହିପରି ସାମ୍ବାଦିକତା, ଲୋକସମ୍ପର୍କ, କର୍ପୋରେଟ୍ ଯୋଗାଯୋଗ, ସରକାରୀ କ୍ଷେତ୍ର ଆଦିରେ ରହିଥିବା ସୁଯୋଗ ଉପରେ ବିସ୍ତୃତ ଭାବେ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯାଇଥିଲା। ଆଇଆଇଏମ୍ସି ଢେଙ୍କାନାଳ ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ୍, ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଚିରସ୍ରୋତା ଜେନା ଓ ଆକାଡେମିକ ଆସୋସିଏଟ୍ ସନତ ପାଢ଼ୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶମ୍ଭୁ ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ରିଡର ଗୁରୁଚରଣ ରାଉତରାୟ, ଇଂରାଜୀ ବିଭାଗର ଅଧ୍ୟାପକ ତଥା କ୍ୟାରିୟର କାଉନ୍ସିଲିଂ ସେଲ୍ର ସଂଯୋଜକ ବିଜୟ କୁମାର ସାହୁ, ଅର୍ଥନୀତି ବିଭାଗର ଅଧ୍ୟାପିକା ନୟନା ବରାଳ ଓ ରସାୟନ ବିଭାଗର ଅଧ୍ୟାପକ ପ୍ରଣବ କୁମାର ହୋତା ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟର ତୃତୀୟ ବର୍ଷର ପ୍ରାୟ ୧୪୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।