ଆଦାନୀ ମାମଲାରେ ହିଣ୍ଡେନବର୍ଗର ନୂଆ ରିପୋର୍ଟ
1 min readଭାରତର ପ୍ରମୁଖ କମ୍ପାନି ଆଦାନୀ ଗ୍ରୁପ୍ ଉପରେ ଆଉ ଏକ ବଡ଼ ରିପୋର୍ଟ ପ୍ରକାଶ କରିଛି ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ। ଏଥିରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର (ସେବି) ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ହିଣ୍ଡେନବର୍ଗ। ତଥାକଥିତ ଆଦାନି ଗ୍ରୁପର ସେୟାର ଜାଲିଆତି ମାମଲାରେ ମାଧବୀ ପୁରୀ ବୁଚ୍ ଓ ତାଙ୍କ ସ୍ଵାମୀ ଧବଲ ବୁଚ୍ ଜଡ଼ିତ ଥିବା ରିପୋର୍ଟରେ ଅଭିଯୋଗ କରାଯାଇଛି। ତେବେ ରିପୋର୍ଟକୁ ଉଭୟ ସେବି ଓ ମାଧବୀଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ହିଣ୍ଡେନବର୍ଗର ରିପୋର୍ଟରେ କୁହାଯାଇଛି ଯେ, ଆଦାନି ଗ୍ରୁପର ସେୟାର ଜାଲିଆତିରେ ସାମିଲ ଥିବା ବିଦେଶୀ କମ୍ପାନିରେ ମାଧବୀ ପୁରୀ ବୁଚ୍ ଓ ଧବଲ ବୁଚଙ୍କ ଅଂଶଧନ ରହିଛି। ଆଦାନି ଗ୍ରୁପ ଯେଉଁ ବରମୁଡା ଓ ମରିସସ୍ର ଫଣ୍ଡରେ ନିବେଶ କରିଛି ସେଥିରେ ଉଭୟଙ୍କ ନିବେଶ ରହିଛି।
ଘଟଣାକ୍ରମରେ ସିଙ୍ଗାପୁରରେ ୨୦୧୫ ଜୁନ୍ ୫ରେ ମାଧବୀ ଓ ତାଙ୍କ ସ୍ଵାମୀ ପ୍ରଥମେ ‘ଆଇପିଇ ପ୍ଲସ ଫଣ୍ଡ ୧’ ନାମକ କମ୍ପାନିରେ ଆକାଉଣ୍ଟ ଖୋଲିଥିଲେ। ଏହାକୁ ମରିସସର ‘ଟ୍ରାଇଡେଣ୍ଟ ଟ୍ରଷ୍ଟ’ ପରିଚାଳନା କରୁଛି। ଉକ୍ତ ଫଣ୍ଡରେ ଦିଆଯାଇଥିବା ଘୋଷଣାନାମାରେ ନିବେଶର ଉତ୍ସ ବେତନ ବୋଲି ଦର୍ଶାଯାଇଥିଲା। ଦମ୍ପତିଙ୍କ ମୋଟ ସଂପତ୍ତି ୧୦ ନିୟୁତ ଡଲାର ବୋଲି ଆକଳନ କରାଯାଇଥିଲା।
ଅନ୍ୟପଟେ ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ନିବେଶ କରିଥିବା ବରମୁଡାର ଏକ କମ୍ପାନି ‘ଗ୍ଲୋବାଲ ଡାଇନାମିକ୍ସ ଅପରଚୁନିଟିସ୍ ଫଣ୍ଡ’ ପରେ ‘ଆଇପିଇ ପ୍ଲସ ଫଣ୍ଡ ୧’ ଅର୍ଥ ନିବେଶ କରିଥିଲେ। ଏହି କାରଣରୁ ଆଦାନୀ ଗ୍ରୁପର ଜାଲିଆତିରେ ମାଧବୀ ଓ ତାଙ୍କ ସ୍ଵାମୀ ଜଡ଼ିତ ରହିଥାଇପାରନ୍ତି ବୋଲି ହିଣ୍ଡେନବର୍ଗର ରିପୋର୍ଟରେ ଅଭିଯୋଗ କରାଯାଇଛି।
ତେବେ ମାର୍ଚ୍ଚ ୨୦୧୭ ମସିହାରେ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ହେବା ସମୟରେ ତାଙ୍କ ସ୍ଵାମୀ ଧବଲ ବୁଚ ‘ଆଇପିଇ ପ୍ଲସ ଫଣ୍ଡ ୧’ର ପରିଚାଳକ ଟ୍ରାଇଡେଣ୍ଟ ଟ୍ରଷ୍ଟକୁ ଏକ ଚିଠି ଲେଖିଥିଲେ। ଏଥିରେ ଆକାଉଣ୍ଟ ପରିଚାଳନା ପାଇଁ ମାଧବୀଙ୍କ ବଦଳରେ ତାଙ୍କୁ ଏକମାତ୍ର ବ୍ୟକ୍ତିଭାବେ ଅନୁମତି ଦିଆଯାଉ ବୋଲି ସେ ଆବେଦନ କରିଥିଲେ। ସେହି ସମୟରେ ଧବଲ ବୁଚଙ୍କର ଅଂଶଧନର ମୋଟ ମୂଲ୍ୟ ପ୍ରାୟ ୮ ଲକ୍ଷ ୭୨ ହଜାର ୭୬୨ ଡଲାର ରହିଥିଲା। ତେବେ ଏହି ସମାନ ଫଣ୍ଡକୁ ଗୌତମ ଆଦାନିଙ୍କ ଭାଇ ବିନୋଦ ଆଦାନି ବ୍ୟବହାର କରିଥିବା ଅଭିଯୋଗ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେବି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ହିଣ୍ଡେନବର୍ଗ ରିପୋର୍ଟରେ ଅଭିଯୋଗ କରାଯାଇଛି।
ସେହିପରି ୨୦୧୭ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଥିବା ସମୟରେ ସିଙ୍ଗାପୁରଭିତ୍ତିକ କନସଲଟିଂ ଫାର୍ମ ଆଗୋରା ପାର୍ଟନର୍ସରେ ତାଙ୍କର ୧୦୦ ପ୍ରତିଶତ ଅଂଶଧନ ଥିଲା। ୨୦୨୨ ମାର୍ଚ୍ଚ ୧୬ ରେ ସେ ସେବି ଅଧ୍ୟକ୍ଷ ନିଯୁକ୍ତ ହେବାର ଦୁଇ ସପ୍ତାହ ପରେ ସେ ତାଙ୍କ ଅଂଶଧନକୁ ସ୍ଵାମୀଙ୍କ ନାମକୁ ପଠାଇ ଦେଇଥିଲେ।
ବର୍ତ୍ତମାନ ଏହି ଫଣ୍ଡରେ ମାଧବୀଙ୍କ ୯୯ ପ୍ରତିଶତ ଅଂଶଧନ ରହିଛି। ଏହାର ମୂଲ୍ୟ ୨ ଲକ୍ଷ ୬୧ ହଜାର ଡଲାର ରହିଛି, ଯାହାକି ତାଙ୍କ ସେବି କାର୍ଯ୍ୟକାଳର ମୋଟ ଦରମାର ସାଢ଼େ ୪ ଗୁଣା ବୋଲି ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି। ବୁଚ୍ ଦମ୍ପତିଙ୍କ ପ୍ରତିକ୍ରିୟା ତେବେ ହିଣ୍ଡେନବର୍ଗର ଏହି ଅଭିଯୋଗକୁ ବୁଚ୍ ଦମ୍ପତି ଖଣ୍ଡନ କରିଛନ୍ତି। ସେମାନେ ଏକ ବିବୃତିରେ କହିଛନ୍ତି ଯେ, “ହିଣ୍ଡେନବର୍ଗ ରିସର୍ଚ୍ଚକୁ ସେବି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଏହାର ଜବାବ ଏପର୍ଯ୍ୟନ୍ତ ହିଣ୍ଡେନବର୍ଗ ପକ୍ଷରୁ ଦିଆଯାଇନାହିଁ, ବରଂ ତାଙ୍କ ଚରିତ୍ର ହନନ କରିବାକୁ ସଂସ୍ଥା ଉଦ୍ୟମ କରୁଛି। ରିପୋର୍ଟରେ ଆମ ବିରୋଧରେ କରାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ।”
ରିପୋର୍ଟକୁ ଆଦାନୀ ଗ୍ରୁପର ଖଣ୍ଡନ ଅନ୍ୟପଟେ ଆଦାନୀ ଗ୍ରୁପ ପକ୍ଷରୁ ମଧ୍ୟ ହିଣ୍ଡେନବର୍ଗର ସଦ୍ୟ ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରାଯାଇଛି। ଗତ ଜୁନ ମାସରେ ସେବି ପକ୍ଷରୁ ହିଣ୍ଡେନବର୍ଗ ସଂସ୍ଥାକୁ ୨୦୨୩ରେ ପ୍ରକାଶିତ ଆଦାନୀ ଗ୍ରୁପ ବାବଦରେ ରିପୋର୍ଟ ପାଇଁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା। ହିଣ୍ଡେନବର୍ଗର ଏହି ନୂଆ ରିପୋର୍ଟର ପ୍ରଭାବରେ ସୋମବାର ଆଦାନୀ ଗ୍ରୁପର ସେୟାର ମୂଲ୍ୟ ଅଳ୍ପ କମିଛି। ତେବେ ଏହାର ବିଶେଷ ପ୍ରଭାବ ଭାରତୀୟ ସେୟାର ବଜାର କିମ୍ବା ଗ୍ରୁପ ଉପରେ ପଡ଼ିନାହିଁ।
କ’ଣ ଥିଲା ମାମଲା?
୨୦୨୩ ମସିହା ଜାନୁଆରି ମାସରେ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିଥିଲା। ଏଥିରେ ଗ୍ରୁପ୍ ବିରୋଧରେ ସେୟାର କିଣାବିକାରେ ଅନିୟମିତତା, ଟ୍ୟାକ୍ସ ଜାଲିଆତି, ବିଦେଶରେ ଟଙ୍କା ଜମା କରିବା ଭଳି ଅଭିଯୋଗ କରଯାଇଥିଲା
ଏହି ରିପୋର୍ଟ ଆସିବା ପରେ ସେୟାର ବଜାରରେ ଅସ୍ଥିରତା ଦେଖାଯାଇଥିଲା। ଆଦନୀ ଗ୍ରୁପର ବଜାର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ଏଥିଲାଗି ଅନେକ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ି ଯାଇଥିଲା। ଏହାପରେ ଗ୍ରୁପ୍ ନିଜର ୨୦ ହଜାର କୋଟି ଟଙ୍କାର ଏଫପିଓକୁ ପ୍ରତ୍ୟାହାର କରିଥିଲା।