October 18, 2024

NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି

1 min read

ନୂଆଦିଲ୍ଲୀ: NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନ ଏହା ଯେ ଏହାର ଚେର କେତେ ପର୍ଯ୍ୟନ୍ତ ଲମ଼୍ବିଛି । ପେପର ଲିକ୍‌ ହେବା ଏକ ସ଼୍ବୀକାର୍ଯ୍ୟ ତଥ୍ୟ । ଲିକ୍‌ର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଚାଲିଛି । ଆପଣ କେବଳ ଏଥିପାଇଁ ପରୀକ୍ଷାକୁ ରଦ୍ଦ କରିପାରିବେ ନାହିଁ, କାରଣ ପେପର ଲିକ୍‌ରେ ମାତ୍ର ଦୁଇଜଣ ଛାତ୍ର ଜଡ଼ିତ ଥିଲେ । ତେଣୁ ଆମକୁ ଲିକ୍‌ର ପ୍ରକୃତ କାରଣକୁ ନେଇ ସାବଧାନ ରହିବା ଉଚିତ୍‌ । ପୁନର୍ବାର ପରୀକ୍ଷା ପାଇଁ ଆଦେଶ ଦେବା ପୂର୍ବରୁ ଲିକ୍‌ କେଉଁ ପର୍ଯ୍ୟନ୍ତ ଲମ଼୍ବିଛି ତାହା ଆମକୁ ଆଗେ ଜାଣିବାକୁ ପଡ଼ିବ । କାରଣ ଆମେ ୨୩ ଲକ୍ଷ ଛାତ୍ରୀଛାତ୍ରଙ୍କ ମାମଲାକୁ ଶୁଣୁଛୁ ।

ଏଥିସହିତ କେନ୍ଦ୍ର କେଉଁ କେଉଁ ଛାତ୍ରୀଛାତ୍ରଙ୍କୁ ପେପର ଲିକ୍‌ରେ ଫାଇଦା ମିଳିଛି ସେ ନେଇ ସୁପ୍ରିମ୍‌କୋର୍ଟ ଏନ୍‌ଟିଏ ଏବଂ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । ଏଥିପାଇଁ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ନେଇ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପଚାରିଛନ୍ତି । ଶୁଣାଣି ବେଳେ ସିବିଆଇକୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି ସୁପ୍ରିମ୍‌କୋର୍ଟ । ଏହାଛଡ଼ା ସୁପ୍ରିମ୍‌କୋର୍ଟ ଜୁଲାଇ ୧୦ ତାରିଖ ସୁଦ୍ଧା ଏନ୍‌ଟିଏ, ସିବିଆଇ ଏବଂ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଦାଖଲ ପରେ ଅର୍ଥାତ ଜୁଲାଇ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ସୂଚନା ଥାଉକି, ପ୍ରଶ୍ନପତ୍ର ଲିକ, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନଇଇଟି-ୟୁଜି ବାତିଲ ଓ ସାନି ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ ୩୮ଟି ପିଟିଶନ ଦାଖଲ ହୋଇଛି । ତେବେ ବଡ଼ ଧରଣର ଅନିୟମିତତା ହୋଇଥିବାର ପ୍ରମାଣ ନ ଥିବାରୁ ପରୀକ୍ଷାକୁ ବାତିଲ କରାଗଲେ ଏହାର ଫଳ ଓଲଟା ହେବା ସହ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀ କ୍ଷତିଗ୍ରସ୍ତ ହେବେ ବୋଲି କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ।

Leave a Reply

Your email address will not be published. Required fields are marked *