ସରକାରଙ୍କ ବଡ଼ ପଦେକ୍ଷପ, ୯ ଜଣିଆ ସ୍କ୍ବାଡ୍ ଗଠନ
1 min read
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହେମଗିର କୋଇଲା କ୍ଷେତ୍ରର ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଶତାଧିକ ବେଆଇନ ଚୋରା କୋଇଲା ଖଣି ଚାଲିଥିବା ନେଇ ଶହଶହ ସଂଖ୍ୟାରେ ଥିବା ଏହି ଛୋଟବଡ଼ ବେଆଇନ ଖଣିଗୁଡ଼ିକ ଉପରେ ଚଢ଼ଉ କରିବା ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ରବର୍ତ୍ତନ ଦଳ (ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍) ଗଠନ କରିଛନ୍ତି। ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ସଂଖ୍ୟା ୩୯୧୮/୧୦.୦୪.୨୦୨୫ ଅନୁଯାୟୀ ଗଠିତ ଏହି ଟିମ୍ରେ ୯ ଜଣ ସଦସ୍ୟ ଅଛନ୍ତି। ଏଥିରେ ୨ ଜଣ ଖଣି ଉପନିର୍ଦ୍ଦେଶକ ପବିତ୍ର କୁମାର ସାହୁ ଏବଂ ବିଶ୍ବରଞ୍ଜନ ସେଠୀ, ଜଣେ ଭୂତତ୍ତ୍ବ ଉପନିର୍ଦ୍ଦେଶକ ସନ୍ତୋଷ ସାହୁ, ଜଣେ ଖଣି ଅଧିକାରୀ ବାସୁଦେବ ଟୁଡୁଙ୍କ ସମେତ ୫ ଜଣ ପୁଲିସ ଅଧିକାରୀ ଅଛନ୍ତି। ସ୍ଥାନୀୟ ପ୍ରଶାସନ ସହଯୋଗରେ ଏହି ଟିମ୍ ଶୁକ୍ରବାରଠୁ ଚଢ଼ଉ ଜାରି ରଖିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଘଟଣାର ପର୍ଦ୍ଦାଫାସ ହେବାପରଠାରୁ ପ୍ରଶାସନର ଚଢ଼ଉ ଜାରି ରହିଥିଲେ ବି ଏଥି ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ସରକାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଅପରପକ୍ଷରେ ଏହି ସମଗ୍ର ଘଟଣାରେ ସନ୍ଦେହ ଘେରକୁ ଆସିଥିବା ହେମଗିରର ପୂର୍ବତନ ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତି ଶୁକ୍ରବାର ଜିଲ୍ଲାପାଳଙ୍କ ଦ୍ବାରା ଜାରି କାରଣଦର୍ଶାଅ ନୋଟିସ୍ର ଉତ୍ତର ରଖିଛନ୍ତି। ନିଜ ଉତ୍ତରରେ ସେ ଲେଖିଛନ୍ତି, ‘ବନବିଭାଗର ଚିଠି ପାଇଲା ପରେ ସେ ଅତିରିକ୍ତ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ନାନା କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁ ଅତିରିକ୍ତ ତହସିଲଦାର ତଦନ୍ତ କଲେ ନା ନାହିଁ ତାହା ଆଉ ବୁଝି ପାରିନଥିଲେ। ଏହା ସହ ଜଙ୍ଗଲ ଭିତରେ ଖଣି ଖନନ ହୋଇଥିବାବେଳେ ତାକୁ ଜଗିବା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟ ଓ କାର୍ଯ୍ୟାନୁଷ୍ଠାନ ନେବା ଖଣି ବିଭାଗର କାମ ବୋଲି ସେ ଉଲ୍ଲେଖ କରିଛନ୍ତି’। ଏହାଛଡ଼ା ଉତ୍ତରରେ ଯୁକ୍ତି ବାଢ଼ିଛନ୍ତି ଯେ ବନାଞ୍ଚଳ ଅଧିକାରୀ ଦେଇଥିବା ଚିଠି ସମ୍ପର୍କରେ ତାଙ୍କୁ କେହି ଉପରିସ୍ଥ ଅଧିକାରୀ ପଚାରି ନଥିଲେ। ଏପରିକି ହେମଗିରରେ ତହସିଲଦାର ଭାବେ ଅବସ୍ଥାପିତ ଥିବା ସମୟରେ ମାସିକ ସମୀକ୍ଷା ବୈଠକରେ ମଧ୍ୟ ତାଙ୍କୁ କେହି ପଚାରିନଥିବା ସେ ଉତ୍ତରରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ଖଣିଜ ଲୁଟ୍ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ। ହେମଗିରରେ କୋଇଲା, ବଣାଇରେ ଲୁହା ଓ ମାଙ୍ଗାନିଜ ପଥର ଖୋଲାଖୋଲି ଚୋରି ହେଉଥିବା ସେ କହିଛନ୍ତି। ଜିଲ୍ଲାରେ ଚାଲିଥିବା ଖଣି ଚୋରିରେ ପ୍ରଶାସନର ବଡ଼ ବଡ଼ ଅଧିକାରୀ, ଜଙ୍ଗଲ ଓ ଖଣି ବିଭାଗର ଅଧିକାରୀ ସିଧାସଳଖ ସମ୍ପୃକ୍ତ ଥିବା ସେ ଉଲ୍ଲେଖ କରିଛନ୍ତି। ଅଧିକାରୀଙ୍କ ଜାଣତରେ ଓ ପୃଷ୍ଠପୋଷକତାରେ ମାଫିଆମାନେ ବେଆଇନ ଖଣି ଖନନ କରିବା ସହ କୋଇଲା ଉତ୍ତୋଳନ କରୁଥିଲେ। ତେଣୁ ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଅବୈଧ ଖଣିକୁ ବନ୍ଦ କରିବା ପାଇଁ ଟାକ୍ସଫୋର୍ସ ଗଠନ ସହ ସମସ୍ତ ସୀମାନ୍ତ ଅଞ୍ଚଳରେ ଜୋରଦାର ଯାଞ୍ଚ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।