September 8, 2024

ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାରୁପା ଚୋରି

1 min read

ସୁନ୍ଦରଗଡ଼: ରାଜଗାଙ୍ଗପୁରରେ ମୁଖ୍ୟ ରାସ୍ତାରେ ଥିବା ଭୋଲାରାମ ଜୁଏଲର୍ସରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ରୁପା ଚୋରି ହୋଇଛି। ଚୋରି ହୋଇଥିବା ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ଦୋକାନ ମାଲିକ ତଥା ବିଜେପିର ନଗର ସଭାପତି ଭୋଲାରାମ ସୋନି ବ୍ୟବସାୟ ସାରି ଦୋକାନ ବନ୍ଦ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଆଜବେଷ୍ଟସ୍ ଭାଙ୍ଗି ଦୋକାନରେ ପଶି ପ୍ରାୟ ୬ କିଗ୍ରା ରୁପା ଓ ସୁନା ଚୋରି କରିନେଇଛି। ଚୋରିର ସମସ୍ତ ଘଟଣା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଚୋର ଜଣକ ହାପ ପ୍ୟାଣ୍ଟ ପିନ୍ଧିଛି ଓ ଧଳା ରଙ୍ଗର ଟି ସାର୍ଟକୁ ମୁହଁ ଘୋଡ଼ାଇଥିବା ସିସିଟିଭି ରୁ ଜଣା ପଡ଼ିଛି।


ଲକର୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବି ଚୋର ସଫଳ ହୋଇ ନଥିବାରୁ ବହୁ ମୂଲ୍ୟର ସୁନା ଗହଣା ନେଇ ପାରିନାହିଁ। ସକାଳୁ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣି ପାରି ଦୋକାନୀ ପୁଲିସକୁ ସୂଚନା ଦେଇଥିଲେ। ରାଜଗାଙ୍ଗପୁର ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଜୁଏଲାରି ଦୋକାନ ସହ ଆଖପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ ଆରମ୍ଭ କରିଛି। ଏହା ସହ ଘଟଣାର ଯାଞ୍ଚ ପାଇଁ ସାଇଣ୍ଟିଫିକ ଟିମ ଯାଉଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ରାଜଗାଙ୍ଗପୁର ସହରରେ କିଛି ଦିନ ହେଲା ଚୋର ମାତିଥିବାବେଳେ ସିରିଜ ଚୋରି ଚାଲିଛି। ୪ ଦିନ ତଳେ ଜଣେ ଡିସିବିଏଲ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇ ୫୦ ହଜାର ନଗଦ ଓ ୫ ଲକ୍ଷର ଗହଣା ଚୋରି କରି ଚମ୍ପଟ ମାରିଥିଲେ। କିନ୍ତୁ ପୁଲିସ ଚୋରଙ୍କୁ ଧରିବାକୁ ବିଶେଷ ତତ୍ପରତା ପ୍ରକାଶ କରୁନାହିଁ।

Leave a Reply

Your email address will not be published. Required fields are marked *