September 19, 2024

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

1 min read

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ କୋଲକାତା ସ୍ଥିତି ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ପଶ୍ଚିମବଙ୍ଗରେ ସିପିଏମର ଶାସନ କାଳରେ ସେ ୨୦୦୦ରୁ ୨୦୧୧ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ। ଗୁରୁବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ତଥା ଜାତୀୟ ରାଜନୈତିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ରାଜନୈତିକ କ୍ୟାରିୟର ବେଶ ଲମ୍ବା ଥିଲା। ସେ ୧୯୬୬ ମସିହାରେ ସେ ସିପିଏମ ପାର୍ଟିରେ ଯୋଗ ଦେଇଥିଲେ। ସେ ୧୯୭୨ ମସିହାରେ ସିପିଏମ ପଶ୍ଚିମବଙ୍ଗ ରାଜ୍ୟ ପରିଷଦର ସଦସ୍ୟ ହୋଇଥିଲେ। ଏହାପରେ ସେ ପାର୍ଟି ଟିକେଟରେ ୧୯୭୭ ମସିହାରେ ପଶ୍ଚିମବଙ୍ଗର କୋସିପୁର ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୮୭ରୁ ୨୦୧୧ ପର୍ଯ୍ୟନ୍ତ ଯାଦବପୁର ଆସନରୁ ଲଗାତର ୫ ଥର ବିଧାୟକ ହୋଇଥିଲେ।

ପଶ୍ଚିମବଙ୍ଗ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ ଜ୍ୟୋତି ବସୁଙ୍କ ପରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୦୦ରୁ ୨୦୧୧ ଯାଏଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ୨୦୧୧ ମସିହା ପଶ୍ଚିମବଙ୍ଗ ନିର୍ବାଚନରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସିପିଏମର ନେତୃତ୍ୱ ନେଇଥିଲେ। ଏଥିରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ବିଜୟ ଲାଭ କରିଥିଲା ଏବଂ ପଶ୍ଚିମବଙ୍ଗରେ ଦୀର୍ଘ ବର୍ଷର କମ୍ୟୁନିଷ୍ଟ ଶାସନର ଅନ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *