October 18, 2024

ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ପରଲୋକ

1 min read

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ କବି, ଗାଳ୍ପିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ପରଲୋକ ଘଟିଛି। ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ହରିହର ମିଶ୍ର ଅନେକ ଦିନରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ କିଛି ଦିନ ତଳେ ତାଙ୍କୁ ହସ୍ପିଟାଲରୁ ପୁରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସୋମବାର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କର ଦେହାନ୍ତ ହୋଇଥିଲା।

ହରିହର ମିଶ୍ରଙ୍କ ବିୟୋଗରେ ରାଜ୍ୟ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ କବି, ଲେଖକ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୋମବାର ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା। ସେ ଓଡ଼ିଆ କବିତା, ଗଳ୍ପ, ନାଟକ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ସେହିପରି ହରିହର ମିଶ୍ର ଚଳଚ୍ଚିତ୍ର ଜଗତରେ ମଧ୍ୟ ନିଜର ଛାପ ଛାଡ଼ିଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ର ସଂଳାପ ରଚନା କରିବା ସହ ଏଥିରେ ସହ ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ ବି କରିଥିଲେ। ସାହିତ୍ୟ କ୍ଷେତ୍ରରେ ନିଜ ଅବଦାନ ପାଇଁ ହରିହର ମିଶ୍ର ଏକାଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଥିଲେ। ସେ ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ପୁରସ୍କାର ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *