November 21, 2024

କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକାଳୀ ପୀଠ

1 min read

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ଚରମ୍ପା ସମେତ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି | ଗୁରୁବାର କାଳୀପୂଜାଠାରୁ ମା’ ସପ୍ତ ମାତୃକା ବେଶରେ ଦର୍ଶନ ଦେବେ। ପ୍ରଥମ ଦିନରେ ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି | ଏହି ବେଶରେ ମା’ ହାତରେ ବେଦ ଓ ଜପମାଳି ଧରି ସମସ୍ତଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି | ବେଦମାତା ବେଶ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି | ବହୁ ସଂଖ୍ୟାରେ ଭକ୍ତମାନେ ବେଦମାତା ବେଶ ଦର୍ଶନ ପାଇଁ ସକାଳ ୬ ଟାରୁ ମନ୍ଦିର ଆଗରେ ଲମ୍ବା ଧାଡ଼ିରେ ରହିଛନ୍ତି। ମଧ୍ୟାହ୍ନରେ ମାନସିକ କଳସ ଶୋଭାଯାତ୍ରାରେ ସାଳନ୍ଦୀ ନଦୀର ଆହାରପଦା ଘାଟରୁ ଘଟତ୍ତୋଳନ କରାଯାଇ ପୀଠରେ ବିଶ୍ୱ ଶାନ୍ତି ପାଇଁ ୭ ଦିନ ଯଜ୍ଞ ଆରମ୍ଭ ହେବ | ଦିତୀୟ ଦିନରେ ମହାକାଳୀ, ତୃତୀୟ ଦିନରେ ଜଗଦ୍ଧାତ୍ରୀ, ଚତୁର୍ଥ ଦିନରେ ରାଜରାଜେଶ୍ୱରୀ, ପଞ୍ଚମ ଦିନରେ ସିଂହବାହିନୀ, ଷଷ୍ଠ ଦିନରେ ମହା ସରସ୍ବତୀ ଓ ଅନ୍ତିମ ଦିବସରେ ମହାଲକ୍ଷ୍ମୀ ବେଶରେ ମା’ ଭଦ୍ରକାଳୀ ଦର୍ଶନ ଦେଇଥାନ୍ତି ବୋଲି ପୂଜକ ନିକୁଞ୍ଜ ଦୀକ୍ଷିତ କହିଛନ୍ତି |