September 8, 2024

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ

1 min read

ଭୁବନେଶ୍ୱର: ମେ ୧୩କୁ ଦେଶରେ ୪ର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬ ଟି ଆସନ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ମୋଟ୍ ୭ ହଜାର ୩୦୩ କେନ୍ଦ୍ରରେ ମତଦାନ ହେବ । ଏଥିପାଇଁ ନିର୍ବାଚନ ହେବାକୁ ଥିବା ସବୁ ପୋଲିଂ ବୁଥକୁ ଇଭିଏମ ପଠାଯାଇଛି । ପୋଲିଂ ଅଧିକାରୀମାନେ ଇଭିଏମ ସହ ଭିଭିପାଟ ମେସିନ ସାଙ୍ଗରେ ଧରି ନିଜ ନିଜ ପୋଲିଂ ବୁଥକୁ ଯାଇଛନ୍ତି । ସମ୍ବେଦନଶୀଳ ବୁଥ୍ ସହ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ହେଲିକପ୍ଟର ଯୋଗେ ପୋଲିଂ ଟିମ୍ ସୁନାବେଡ଼ାକୁ ଯିବା ନେଇ ଜଣାପଡ଼ିଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ।

ମେ ୧୩ ତାରିଖରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ କାଶ୍ମୀରରେ ମତଦାନ ହେବ । ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୨୫ଟି ଆସନରେ ଭୋଟିଂ ହେବାକୁ ଥିବା ବେଳେ ତେଲେଙ୍ଗାନରେ ୧୭, ଉତରପ୍ରଦେଶରେ ୧୩, ମହାରାଷ୍ଟ୍ରରେ ୧୧, ପଶ୍ଚିମବଙ୍ଗରେ ୯, ମଧ୍ୟପ୍ରଦେଶରେ ୮, ବିହାରରେ ୫, ଝାଡଖଣ୍ଡ ଏବଂ ଓଡ଼ିଶାରେ ୪ ଟି ଲେଖାଏଁ ଆସନ ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଆସନ ପାଇଁ ମତଦାନ ହେବ । କାଲି ମିଦାନ ବେଳେ ପାଗ ଅନୁକୂଳ ରହିବ । ଉତ୍ତର ଉପକୂଳର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ସନ୍ଧ୍ୟା ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ସେହିପରି ନୂଆପଡ଼ାର ଅନ୍ୟ ମତଦାନ କେନ୍ଦ୍ର ସହ ଭବାନୀପାଟଣା, ନାର୍ଲା, ଜୁନାଗଡ଼ ଓ ଧର୍ମଗଡ଼ରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଖଡ଼ିଆଳ, ଲାଞ୍ଜିଗଡ଼ରେ ମଧ୍ୟ ସକାଳ ୭ଟାରୁ ସନ୍ଧ୍ୟା ୪ଟା ଯାଏଁ ଭୋଟ ଗ୍ରହଣ ହେବ । ଉମରକୋଟର ୨୨ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ହେବ । ସେହିପରି ଉମରକୋଟର ଅନ୍ୟ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଉମରକୋଟ, ଝରିଗାଁ ଓ ଡାବୁଗାଁରେ ସକାଳ ୭ଟାରୁ ସନ୍ଧ୍ୟା ୪ଟା ଯାଏଁ ମତଦାନ ହେବ । ନବରଙ୍ଗପୁର ବିଧାନସଭା ଆସନରେ ସକାଳ ୭ଟାରୁ ୪ଟା ଯାଏଁ ହେବ ଭୋଟ୍ ଗ୍ରହଣ । କୋଟପାଡ଼, ମାଲକାନଗିରି ଏବଂ ଚିତ୍ରକୋଣ୍ଡାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ହେବ ଭୋଟ୍ ଗ୍ରହଣ । ସେହିପରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ । ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ଛତ୍ରପୁର ଏବଂ ଗୋପାଳପୁରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ । ପାରଳାଖେମୁଣ୍ଡିରେ ସକାଳ ୭ଟାରୁ ସନ୍ଦ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ । ମୋହନାରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ରହିଛି ।

Leave a Reply

Your email address will not be published. Required fields are marked *