December 18, 2024

ନାଲକୋର ବରିଷ୍ଠ ଅଧିକାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା

1 min read

ଦାମନଯୋଡି: ନବରତ୍ନ ଉଦ୍ୟୋଗ ନାଲକୋ ପ୍ରକଳ୍ପର ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ସମୁହ ମହାପ୍ରବନ୍ଧକ ସରୋଜ କାନ୍ତ ନାଥ । ଜଣେ ଅମାୟିକ, ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ବ୍ୟକ୍ତିତ୍ଵ । ଦୀର୍ଘ ଦଶନ୍ଧୀ ଧରି ପ୍ରକଳ୍ପରେ ନୀରବଚ୍ଛିନ୍ନ ଭାବେ ବିଭିନ୍ନ ଦାୟିତ୍ଵ କୁ ସରଳତାର ସହ ନିର୍ବାହ କରି ଏକ ନିଷ୍କର୍ଷ ରୂପ ଦେବାର ପାରଦର୍ଶିତା ଗୁଣ ପାଇଁ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଚଳିତ ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୩୧ରେ ସେ କାର୍ଯ୍ୟକ୍ଷେତ୍ରରୁ ଅବସର ନେବେ । ତାଙ୍କ ଅବସର ଜୀବନ ନିରାମୟ, ଦୀର୍ଘାୟୁ କାମନା ପୂର୍ବକ ରାଷ୍ଟ୍ରଦୀପ ପ୍ରସାର ସମିତି ପକ୍ଷରୁ ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ସମିତି ସଭାପତି ତଥା ନାଲକୋ ଖଣି ବିଭାଗ ସମୁହ ମହାପ୍ରବନ୍ଧକ ଇଂ ପୁରୁଷୋତ୍ତମ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ପାଦକ ଜଳେନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିଲେ । ଇତି ଅବସରରେ ନାଥ କାର୍ଯ୍ୟକାଳ ସମୟରେ ଅଙ୍ଗେ ନିଭାଇଥିବା ଅନେକ ସ୍ମୃତି ଓ ଅନୁଭୂତି ବ୍ୟକ୍ତ କରିବା ସହ ଭାବ ବିହ୍ବଳ ହୋଇଯାଇଥିଲେ । ସମିତି ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ଶ୍ରୀମଦ ଭଗବତ ଗୀତା ପ୍ରଦାନ କରାଯିବା ସହ ଅବସର ପରେ ପରିବାର ସହ ନିରାମୟ, ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ରାଷ୍ଟ୍ରଦୀପ ପ୍ରସାର ସମିତି ର ସଦସ୍ୟ ବୃନ୍ଦଙ୍କ ସମେତ ନାଥ ଙ୍କୁ ଭଲ ପାଉଥିବା ବହୁ ବ୍ୟକ୍ତି ବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।