September 7, 2024

କୁସୁମା ବିଳାସପୂର୍ଣ୍ଣ ବଙ୍ଗଳାକୁ ଖୁବ୍ ଶୀଘ୍ର କୌଣସି କାର୍ଯ୍ୟରେ ଲଗାଯିବ: ଜିଲ୍ଲାପାଳ

1 min read

ଯାଜପୁର: ଯାଜପୁରର କୁସୁମା ଆଲିଶାନ ବଙ୍ଗଳାକୁ ନେଇ ଉଠିଥିବା ବିବାଦ ଉପରେ ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। କୁସୁମା ମଧ୍ୟରେ ନିର୍ମାଣ ୮ କୋଟି ଟଙ୍କାର ଆଲିଶାନ୍ ବଙ୍ଗଳା ସିଏସଆର ଫଣ୍ଡରେ ନିର୍ମାଣ ହୋଇଛି ଏବଂ ତାହା ଯାଜପୁର ପୌରପାଳିକା ଜମିରେ ହୋଇଛି ହେଲେ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ତାହାର କୌଣସି ତଥ୍ୟ ନାହିଁ। ଏହା ସ୍ପଷ୍ଟ ହୋଇଛି କ୍ରୀଡ଼ା ବିଭାଗ ଅଧୀନରେ ନାହଁ କି କ୍ରୀଡ଼ା ବିଭାଗ ସହ ଏହାର କୌଣସି ସମ୍ପର୍କ ନାହିଁ।

ପରୋକ୍ଷରେ ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ଏହା ଏକ ବେଆଇନ ଭାବେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା, ଖୁବ ଶୀଘ୍ର ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ କୌଣସି ଏକ କାର୍ଯ୍ୟରେ ଲଗେଇବ।
ତେବେ ଗତକାଲି ପୌର ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରୀଡ଼ା ବିଭାଗକୁ ଜମି ହସ୍ତାନ୍ତର ସହ ଏ ବଙ୍ଗଳା କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରାଯାଇଥିବା କୁହାଯାଇଥିବା ବେଳେ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି।
ତେବେ ସ୍ଥାନୀୟ ଯାଜପୁର ବାସିନ୍ଦା କହିବା ଅନୁସାରେ ପୌରପାଳିକା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଉ କାହିଁକି ପୌରପାଳିକା ମିଛ କହିଛି ଆଉ ସିଏସଆର ଫଣ୍ଡ ବିନିଯୋଗ କାହା ନିର୍ଦ୍ଦେଶରେ ହୋଇଛି, ଏ ଦୁଇ କମ୍ପାନୀକୁ କାହିଁକି ସିଏସଆର ଫଣ୍ଡ ବିନିଯୋଗ ଏବଂ ଖର୍ଚ୍ଚ କରାଯାଇଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାଉପରେ ତଦନ୍ତ ହେବା ଦରକାର ବୋଲି ଲୋକେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ ମାର୍ଚ୍ଚ ୨୫ରେ କୁସୁମା ଲୋକାର୍ପିତ ହୋଇଥିଲା। ଏହାର ଫୁଲ ବଗିଚା, ଶିଶୁ ଉଦ୍ୟାନ, ବୋଟିଂ ଏବଂ ଭଳିକି ଭଳି ଚିତ୍ରକଳା ଲୋକମାନଙ୍କୁ ଆକୃଷ୍ଟ କରୁଥିଲା। ଏହାପରେ କୁସୁମାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଆଗଲା। କୁସୁମା କେତେକ ମୁଷ୍ଟିମେୟ ରାଜନେତା ଓ ପ୍ରଶାସକଙ୍କ ଚିତ୍ତବି ନୋଦନ କେନ୍ଦ୍ର ପାଲଟିଗଲା। ଶିଶୁ ଉଦ୍ୟାନ ସ୍ଥାନରେ ବହୁ କୋଟି ଟଙ୍କା ବ୍ୟୟରେ ଅଟ୍ଟାଳିକା ନିର୍ମାଣ କରାଗଲା। ସେହିପରି, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଏଠାରେ ପ୍ରତିଦିନ ସଂଧ୍ୟାରେ ଲେଜର୍‌ ଲାଇଟ୍‌ ସୋ’ ହେଉଥିଲା। ତାକୁ ମଧ୍ୟ ଏବେ ବନ୍ଦ କରାଗଲା। କୁସୁମା ପ୍ରକଳ୍ପ ଉଦ୍‌ଘାଟନର ଅଳ୍ପ କେତେମାସ ପରେ ଏଠାରେ ୭କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ମ୍ୟୁଜିକାଲ‌୍ ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଏବେ ସେହି ବ୍ୟବସ୍ଥା ଖରାପ ହୋଇଯାଇଛି। କୁସୁମା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନୋଟିସ୍‌ ଜରିଆରେ ଏହା ଅବଗତ କରାଯାଇଛି। ଏଥିସହ ଯାନ୍ତ୍ରିକ ତ୍ରୁଟି କାରଣରୁ ଜଳ ଫୁଆର ମଧ୍ୟ ବନ୍ଦ ରହିବ ବୋଲି ନୋଟିସ୍‌ ମରାଯାଇଛି।

Leave a Reply

Your email address will not be published. Required fields are marked *