February 6, 2025

ଖୋର୍ଦ୍ଧାରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ

1 min read

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୬ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ବିଜେବି ହାଇସ୍କୁଲ ଖେଳପଡ଼ିଆରେ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳିତ ପରେଡ୍‌ରେ ଅଭିଭାଦନ ଗ୍ରହଣ କରିଥିଲେ। ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଲେ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନ ରହିଛି। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାର ଲାଗୁ କରାଯାଇଛି। ସୁଭଦ୍ରାଙ୍କ ଯୋଜନାରେ ରାଜ୍ୟରେ ୧ କୋଟିରୁ ଊଦ୍ଧର୍‌ବ ମହିଳା ସାମିଲ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩ଲକ୍ଷ ୫୪ ହଜାର ୫୦୪ ଜଣ ଅଛନ୍ତି। ମହିଳା ସଶକ୍ତିକରଣ ଦିଗରେ ଲକ୍ଷପତି ଦିଦି ଯୋଜନା ମୋଦିଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏଥିରେ ଖୋର୍ଦ୍ଧାରୁ ଏକ ଲକ୍ଷ ମହିଳା ସାମିଲ ହେବେ। ମା’ ବରୁଣେଇ ଓ କରୁଣେଇ ପୀଠର ସୌନ୍ଦର୍ଯ୍ୟକରଣ ସହ ଅନ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଚିଲିକାରେ ୨ଟି ଅତ୍ୟାଧୁନିକ ୪୦ ଶଯ୍ୟା ବିଶିଷ୍ଟ ବୋଟ୍‌ ଶୁଭାରମ୍ଭ କରାଯାଇଛି। ଆସନ୍ତା ୨୮ଓ ୨୯ଦୁଇ ଦିନ ବ୍ୟାପୀ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ଏଥିରେ ୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ହେବ। ମୋହନ ମାଝୀଙ୍କ ସରକାର ହେଉଛି ଲୋକଙ୍କ ସରକାର। ଯାହା ପ୍ରତିଶ୍ରୁତି ଦେଇଛୁ, ତାହା ସବୁ କାର୍ଯ୍ୟକାରୀ କରାଯିବ। ନିକଟରେ ସରକାର ଧାନ ସହାୟକ ମଧ୍ୟ ବୃଦ୍ଧି କରି ୮ ଶହ ଟଙ୍କା ଇନ୍‌ପୁଟ ସହାୟତା ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ହେଉଛି ରାଜ୍ୟ ରାଜଧାନୀ ଜିଲା। ବୀରତ୍ୱ ଓ ସ୍ବାଭିମାନର ମାଟି। ନୂତନ ପ୍ରବାହ ମାନ ସୃଷ୍ଟି କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ସ୍ବତନ୍ତ୍ର ବଜାୟ ରଖିଛି। ଏହି ଅବସରରେ ମୁଖ୍ୟ ଅତିଥି ଖୋର୍ଦ୍ଧା ଜିଲା କାରଗାର ପରିଦର୍ଶନ କରି ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ। ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ ସହ ସ୍ବାସ୍ଥ୍ୟ ବ୍ୟବସ୍ଥା ପଚାରି ବୁଝିଥିଲେ। ଜିଲା ସ୍ତରୀୟ ପରେଡରେ ୪୯ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସ୍କୁଲ, କଲେଜ ଛାତ୍ରୀଛାତ୍ର ଚିତ୍ତାକର୍ଷକ ପାଇକ ସମରକଳା, ପିରାମିଡ୍‌, ଦେଶଭକ୍ତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜିଲା ପ୍ରଶାସନ ବିଭିନ୍ନ ବିଭାଗର ୬ଟି ପ୍ରଜ୍ଞାପନ ମେଢ଼ ପରେଡରେ ସାମିଲ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।