March 12, 2025

ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁ

1 min read

ବାଲିଗୁଡ଼ା: କନ୍ଧମାଳ ଜିଲା ଫୁଲବାଣୀ ଟାଉନସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରୁ ନ ଥିବା ବେଳେ ଯୋଜନା ମୁତାବକ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନାମୁତାବକ, ଦାଶରଥୀ ଫେବୃଆରୀ ୧ତାରିଖରେ ଦହିବରା ବିକ୍ରି କରିବାକୁ ପୁରୁଣାକଟକ ଯିବେ ବୋଲି ଜଣେ ସାଙ୍ଗକୁ କହି ଯାଇଥିଲେ । ତେବେ ବିଳମ୍ବିତ ରାତି ଯାଏଁ ନ ଫେରିବା ଓ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିବା ଫଳରେ ପରିବାର ଲୋକେ ଖୋଜାଖୋଜି କରି ନ ମିଳିବାରୁ ସଦର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ।

ଶୁକ୍ରବାର ସର୍ଷଗୁଡାର କିଛି ଯୁବକ ଓଡ଼ି-୦୨ ବିଏମ୍‌-୭୦୫୦ ନମ୍ବର ବିଶିଷ୍ଟ ଏକ ଲୁନା ମୋପେଡ ସପ୍ତାହେ ହେଲା ପଡ଼ିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଫଳରେ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ପାହାଡ଼ ଉପରେ ହାତ ଗୋଡ଼ ନ’ ଥିବା ଦାଶରଥିଙ୍କ ମୃତଦେହ ପାଇଥିଲେ । ଏ ନେଇ ସଦର ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତେବେ ତଦନ୍ତ ସଠିକ ଢଙ୍ଗରେ ହେଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।