ଅପରାଧି କ୍ଷୀରୋଦ ନାୟକ ଗୁରୁତର: ଅନୁଗୋଳରେ ଏନକାଉଣ୍ଟର
1 min read
ଅନୁଗୋଳ: ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ଶନିବାର ବିଳମ୍ବତ ରାତିରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ସୂଚନାଅନୁଯାୟୀ, ରାତିରେ ଛେଣ୍ଡିପଦା ପୋଲିସ କ୍ଷୀରୋଦଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡର ସହାୟତା ଲୋଡ଼ିଥିଲା। ପୋଲିସକୁ ଦେଖି ସୁଶାନ୍ତ ଅନୁଗୋଳ ଥାନା ଅଧୀନରେ ଆସୁଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚା ଭିତରକୁ ପଶି ଯାଇଥିଲେ। ପରେ ତାଙ୍କୁ ଧରିବା ପାଇଁ ଛେଣ୍ଡିପଦା ପୋଲିସ, ଅନୁଗୋଳ ଟାଉନ ପୋଲିସ ଏବଂ ସ୍ପେସିଆଲ ସ୍କ୍ବାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ।
ପୋଲିସ ଏବଂ ସ୍ପେସିଆଲ ସ୍କ୍ବାର୍ଡ ଚଢ଼ାଉ ବେଳେ କ୍ଷୀରୋଦ ପୋଲିସ ଉପରକୁ ୩ ଗୁଳି ଚାଳନାକରି ଖସି ଯିବାକୁ ଉଦ୍ୟମ କରିଥିଲା ବେଳେ ପୋଲିସ ପାଲଟା ଜବାବ ଦେବାରୁ କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିବା ସହ ସେଠାରେ ପଡ଼ି ଯାଇଥିଲା । ପରେ ପୋଲିସ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ଜଣା ପଡିଛି। କ୍ଷୀରୋଦଙ୍କ ନାମରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଛି।