ଓଡ଼ିଶାରେ ଏବେ ଉପରମୁହାଁ ହେବାରେ ଲାଗିଛି ପରାଦ
1 min read
ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଉପରମୁହାଁ ହେବାରେ ଲାଗିଛି ପରାଦ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ରବିବାର ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ପାର୍ କରିଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରବିବାର ବୌଦ୍ଧରେ ୩୮.୨ ଡିଗ୍ରୀ ସହ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରରେ ୩୮.୧ ଡିଗ୍ରୀ, ଅନୁଗୁଳରେ ୩୭.୯ ଡିଗ୍ରୀ, ଟିଟିଲାଗଡ଼ରେ ୩୭.୬ ଡିଗ୍ରୀ, ଭଦ୍ରକ ୩୭.୫ ଡିଗ୍ରୀ, ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ, ଯାଜପୁରରେ ୩୭.୨ ଡିଗ୍ରୀ, ବାରିପଦା, ସୋନପୁର ଓ ଭବାନୀପାଟଣାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଭୁବନେଶ୍ୱରର ତାପମାତ୍ରା ୩୬.୧ ଡିଗ୍ରୀ ରହିଥିବାବେଳେ କଟକରେ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ଛୁଇଁଥିଲା।
ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ି ଚାଲିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଶନିବାର ଦିନ ଟିଟିଲାଗଡ଼ ଓଡ଼ିଶା ସହ ଦେଶର ଉତ୍ତପ୍ତ ସହରରେ ପରିଣତ ହୋଇଥିଲା।
ମାର୍ଚ୍ଚରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ମେ’ ତଥା ଜୁନ୍ ମାସ ଯାଏଁ ସ୍ଵାଭାବିକଠାରୁ ଅଧିକ ତାପମାତ୍ରା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।