March 11, 2025

ମୟୂରଭଞ୍ଜରେ ତମ୍ବା ଓ ୟୁରାନିୟମ୍‌

1 min read

କଳାବାଡିଆ: ଓଡିଶା ମାଟି ତଳେ କେବଳ ଲୁହା କି କୋଇଲା ନୁହେଁ, ରହିଛି ୟୁରାନିୟମ, ଲିଥିୟମ ଓ ତମ୍ବା ଭଳି ମୂଲ୍ୟବାନ ଖଣିଜଦ୍ରବ୍ୟ। ମୟୂରଭଞ୍ଜ ମାଟିତଳେ ମୂଲ୍ୟବାନ ୟୁରାନିୟମ ଓ ତମ୍ବାର ସନ୍ଧାନ ମିଳିଥିବା ବେଳେ ନୟାଗଡ ଜିଲାରେ ମାଟି ତଳେ ଲିଥିୟମ ରହିଥିବା ନେଇ ସଙ୍କେତ ଦେଇଛି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ)। ‘ଜିଏସଆଇ’ ଏନେଇ ପ୍ରାଥମିକ ସର୍ବେକ୍ଷଣ ଜାରି ରଖିଛି। ଏନେଇ ଜିଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ। ମାଟି ଉପରେ ଡ୍ରିଲିଂ କରି ଖଣିଜ ପଦାର୍ଥ ସନ୍ଧାନ ଓ ମାନ ନିର୍ଣ୍ଣୟ ଅଭିଯାନ ଆରମ୍ଭ ହୋଇସାରିଛି। ୟୁରାନିୟମ୍ ଦେଶର ପ୍ରତିରକ୍ଷା, ଆଣବିକ ଶକ୍ତିବୃଦ୍ଧି ଓ ଶକ୍ତି ସଞ୍ଚୟ କ୍ଷେତ୍ରକୁ ବଳ ଯୋଗାଇବ। କୁହାଯାଉଛି ଯେ ଅଷ୍ଟ୍ରେଲିଆ, ଆମେରିକା, ଜାପାନ, ରୁଷ୍, ୟୁକ୍ରେନ ଓ ୟୁରୋପୀୟ ଦେଶ ଗୁଡ଼ିକରେ ଯେଉଁ ମାନର ତମ୍ବା ଓ ୟୁରାନିୟମ ରହିଛି,
ଏଠାକାର ମାଟିତଳେ ବି ଠିକ୍ ସେହି ମାନର ଖଣିଜଦ୍ରବ୍ୟ ରହିଛି। ଏହାକୁ ଉତ୍ତୋଳନ କରାଗଲେ ରାଜ୍ୟ ତଥା ଦେଶର ବିକାଶରେ ସହାୟକ ହୋଇପାରିବ ବୋଲି କୁହାଯାଉଛି।
ତଥ୍ୟ ଅନୁସାରେ, ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅନ୍ତର୍ଗତ ନୋଧନା ପଞ୍ଚାୟତ କେଶରପୁର-ମଦନସାହି-ଦୁଧିଆଶୋଳ ଅଞ୍ଚଳରେ ତମ୍ବା ଖଣି ସହ ମୂଲ୍ୟବାନ ୟୁରାନିୟମ୍ ଭଣ୍ଡାର ଗଚ୍ଛିତ ଅଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ୟୁଏନ୍ଏଫ୍ସି-ଜି-୩ ବର୍ଗରେ ପ୍ରାରମ୍ଭିକ ଅନୁସନ୍ଧାନ ବେଳେ ଏହି ଖଣିଜ ପଦାର୍ଥ ରହିଥିବା ଜଣାଯାଇଛି। ଏଥିପାଇଁ ୧୧୦.୪୦ ବର୍ଗ କିଲୋମିଟର ଅଞ୍ଚଳରେ ସର୍ଭେ ଶେଷ ହୋଇଛି। ଏହିସବୁ ଖଣିଜ ପଦାର୍ଥରେ ମୁଖ୍ୟତଃ ଚାଲକୋପିରାଇଟ୍ (କପର୍ ଆଇରନ୍ ସଲ୍‌ଫାଇଡ୍) ସହିତ ପାଇରାଇଟ୍ (ଆଇରନ୍ ସଲ୍ଫାଇଡ୍), ପାଇରହେଟାଇଟ୍ ସଲ୍‌ଇଡ୍(ଆଇରନ୍ସ ଓ ଗଠନଶୀଳ ଆଇରନ୍) ଏବଂ ଅଳ୍ପ ପରିମାଣର ପେଣ୍ଟଲାଣ୍ଡାଇଟ୍ (ନିକେଲ-ଆଇରନ୍ ସଲ୍‌ଇଡ୍)ର ସମ୍ମିଶ୍ରଣ ରହିଛି। ବୈଜ୍ଞାନିକଙ୍କ ମତରେ, ହାଇଡ୍ରୋଥର୍ମାଲ୍ (ଜଳ ତାପୀୟ) କାର୍ଯ୍ୟକଳାପ କାରଣରୁ ଏହିଭଳି ଖଣିଜ ପଦାର୍ଥ ସୃଷ୍ଟି ହୋଇଥାଏ। ସ୍ବାଧୀନତା ପୂର୍ବରୁ ମୟୂରଭଞ୍ଜ ସ୍ବତନ୍ତ୍ର ରାଜ୍ୟ ଥିବା ସମୟରେ ଭୂଗର୍ଭରେ ଲୁହା, ତମ୍ବା, ୟୁରାନିୟମ ଭଳି ଅନେକ ମୂଲ୍ୟବାନ ଧାତୁ ଥିବା କଥା ମୟୂରଭଞ୍ଜ ରାଜପରିବାର ଜାଣିଥିଲେ। ୧୯୭୦ ଦଶକରେ ତତ୍କାଳୀନ ରାଜ୍ୟ ସରକାର କେଶରପୁରରୁ ତମ୍ବା ଉତ୍ପାଦନ ପାଇଁ ପ୍ରଚେଷ୍ଟା କରିଥିଲେ। ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ଏହି ପ୍ରକଳ୍ପ ଶୀତଳଭଣ୍ଡାରକୁ ପଳାଇଥିଲା । ହେଲେ ୨୦୧୮ମସିହାରେ ଭାରତୀୟ ଭୂତତ୍ତ୍ବ ବିଭାଗ ନଜରକୁ ଆସିଥିଲା କେଶରପୁର-ମଦନସାହି-ଦୁଧିଆଶୋଳ ପ୍ରକଳ୍ପ। ସେହିଦିନଠାରୁ ନିୟମିତ ଭାବରେ ଏଠାରେ ମାଟିକୁ ଡ୍ରିଲିଂ କରାଯିବା ସହ ତା ଭିତରୁ ବାହାରୁଥିବା ଧାତବ ପଦାର୍ଥକୁ ଟେଷ୍ଟିଂ ଲାବୋ​‌େ​‌ରଟୋରୀକୁ ପଠାଯାଉଛି। ମୟୂରଭଞ୍ଜ ହେଉଛି ପ୍ରକୃତିର ଗନ୍ତାଘର। ଏଠାକାର ମାଟିତଳେ ଅନେକ ମୂଲ୍ୟବାନ ଧାତବ ପଦାର୍ଥ ରହିଛି। ପୂର୍ବରୁ କମ୍ ପରସେଣ୍ଟେଜ୍ ଧାତବ ଦ୍ରବ୍ୟ ମିଳୁଥିବା ସ୍ଥାନମାନଙ୍କୁ ସରକାର ଧ୍ୟାନ ଦେଉନଥିଲେ । ହେଲେ ଏବେ ଉନ୍ନତ ମାନର ଟେକ୍ନୋଲୋଜି ଦ୍ବାରା ଅଳ୍ପ ଖର୍ଚ୍ଚରେ ଉତ୍ପାଦନ କରାଯାଇ ପାରୁଛି। ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଚାଲିଥିବା ଗବେଷଣା ଏବେ ଶେଷ ପର‌୍ୟ୍ୟାୟରେ। ଭୂତଳେ ତମ୍ବା ଯେଉଁଠି ମିଳେ, ସେଠାରେ ୟୁରାନିୟମ ମଧ୍ୟ ମିଳିଥାଏ। ତେଣୁ ଏହା ପ୍ରତିରକ୍ଷା ବିଭାଗ ସହ ଅଞ୍ଚଳର ବିକାଶ କ୍ଷେତ୍ରରେ ବଡଭାଗିଦାରୀ ସାଜିବ ଏହି ଖଣିଜ ଦ୍ରବ୍ୟ ଉତ୍ତୋଳନ ଦ୍ବାରା ଦେଶର ପ୍ରତିରକ୍ଷା ଓ ଶକ୍ତି ସଂରକ୍ଷଣ କ୍ଷେତ୍ରକୁ ବଳ ଯୋଗାଇବ। ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଉନ୍ନତି ମଧ୍ୟ ହେବ ତଥା ସ୍ଥାନୀୟ ଅଞ୍ଚଳରେ ବହୁସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।