ପୋଲିସଙ୍କୁ କମିଶନରଙ୍କ ଚେତାବନୀ
1 min readକଟକ : କମିଶନରେଟ ପୋଲିସକୁ ନୂଆ କମିଶନର ଏସ.ଦେବଦତ୍ତ ସିଂଙ୍କ କଡା ତାଗିଦ । ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଆକ୍ସନ ନିଆଯିବ। ଏଥିସହିତ ଦୀର୍ଘଦୀନରୁ ଥିବା ଅଧିକାରୀଙ୍କ ତଥ୍ୟ ନେବି ବୋଲି କହିଛନ୍ତି ସିପି। ସେ କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଉପରେ ଗୁରୁତ୍ୱ ଦିଆଯିବ। ନ୍ୟାୟ ସହ ଥାନାରେ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସିପି କହିଛନ୍ତି। ସେ କହିଛନ୍ତି, ଅଭିଯୋଗକାରୀ ଥାନାର ଅତିଥି, ଉତ୍ତମ ବ୍ୟବହାର କର। ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣିବାକୁ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
କମିଶନର ଏସ.ଦେବଦତ୍ତ ସିଂ ଆଜି କଟକରେ ପହଞ୍ଚି ବିଭିନ୍ନ ଥାନା ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ସେ କହିଛନ୍ତି, କେଉଁ ଅଫିସର କେତେ ଦିନ ହେବ କମିଶନରେଟ ପୁଲିସ୍ ଅଧୀନରେ କାର୍ଯ୍ୟରତ ଅଛନ୍ତି ପ୍ରଥମେ ତାହାର ତଥ୍ୟ ନିଆଯିବ । ଏହାପରେ ଅଧିକାରୀମାନଙ୍କ ସମ୍ପାଦନା କରୁଥିବା କର୍ତ୍ତବ୍ୟକୁ ତର୍ଜମା କରାଯିବ । ଆଶାନୁରୂପ କାର୍ଯ୍ୟ କରୁ ନ ଥିଲେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୧୯୯୮ ବ୍ୟାଚ ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ ଅନର ପ୍ରଦାନ ପରେ ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଦେବଦତ୍ତ ସିଂ କହିଛନ୍ତି, ପୋଲିସ ଏକ ସାଙ୍ଗେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ । ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ ।