ସୁନ୍ଦରଗଡ଼ରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ
1 min readସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା କରମଡିହି ସ୍ଥିତ ଗୀତାପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଅପହରଣକାରୀ ଗୋଷ୍ଠୀକୁ ଧରିବାକୁ ପୋଲିସ ତଦନ୍ତ ଜାରି ରହିଛି।
ତେବେ ମୃତକମାନେ ହେଲେ ସୁବାସ ପୱାର, ଛମା ଭୋସଲେ, କୁଣ୍ଡି ପୱାର, ଚରଣ କୁମାର ଓ ତାଙ୍କ ପତ୍ନୀ କାଇଲା କୁମାର। ସେହିପରି ଉକ୍ତ ଗୋଷ୍ଠୀର ମୁଖିଆ ଅବିନାଶ ପୱାରଙ୍କ ସମେତ ଅନ୍ୟ କିଛି ଲୋକ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ମଙ୍ଗଳବାର ରାତିରେ ଅବିନାଶଙ୍କ ଗୋଷ୍ଠୀର ଲୋକମାନେ ଶୋଇଥିବାବେଳେ ଅନ୍ୟ ଗୋଷ୍ଠୀର ଲୋକମାନେ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଖଣ୍ଡା ଓ ଭୁଜାଲି ଦ୍ଵାରା ଆକ୍ରମଣ କରିବା ଫଳରେ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳରୁ ଆସି ଏହି ଦୁଇ ଯାଯାବର ଗୋଷ୍ଠୀ ସୁନ୍ଦରଗଡ଼ରେ ରହୁଥିବାର ସୂଚନା ମିଳିଛି। ପରକୀୟା ପ୍ରୀତିକୁ ନେଇ ଏହି ସଂଘର୍ଷ ହୋଇଥିବା ଚର୍ଚ୍ଚା ହେଉଛି।