April 18, 2025

ବଲାଙ୍ଗୀର ଜିଲ୍ଲାରେ ଶିଶୁବିକ୍ରି ମାମଲା

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ଶିଶୁବିକ୍ରି ମାମଲା ସାମନାକୁ ଆସିଛି। କିଛି ମାସ ପୂର୍ବରୁ ଖପ୍ରାଖୋଲ ବ୍ଲକ୍‌ରେ ଶିଶୁ ବିକ୍ରି ହୋଇଥିଲା। ଏଥର ଭୀମଭୋଇ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଛୁଆକୁ ୫ ହଜାର ଟଙ୍କାରେ ମା’ ବିକି ଦେଇଥିବା ଅଭିଯୋଗ ହୋଇଛି। ଶିଶୁପୁତ୍ରର ମା’ ପିଙ୍କି ଦାସ ବଲାଙ୍ଗୀର ସହର ମାଲପଡ଼ା ମେଟାକାନୀ ମନ୍ଦିର ପାଖରେ ଭଡ଼ା ଘରେ ରହୁଛନ୍ତି। ତଳଗଜ ଗାଁର ସେ ମୂଳ ବାସିନ୍ଦା। ଏଠାରେ ସେ କାମଧନ୍ଦା କରି ଚଳୁଥିଲେ। ଗତ ୬ ତାରିଖରେ ପିଙ୍କି ଭୀମ ଭୋଇ ମେଡିକାଲ୍‌ କଲେଜ ହସପିଟାଲରେ ଏକ ସୁସ୍ଥ ଶିଶୁପୁତ୍ର ଜନ୍ମ ଦେଇଥିଲେ ଏବଂ ୮ ତାରିଖରେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲେ। କିନ୍ତୁ ସେ ଶିଶୁପୁତ୍ରକୁ ଅନ୍ୟଜଣଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଥିଲା।

ମେଡିକାଲ ଭିତରେ ହିଁ ମଧ୍ୟସ୍ଥି କୁନି ପଶାୟତ ଏହି ଡିଲ୍‌ କରିଥିବା ଖୋଳତାଡ଼ରୁ ଜଣାଯାଇଛି। କୁନିଙ୍କୁ ଟିଟିଲାଗଡ଼ରୁ ଠାବ କରାଯାଇଛି। ଏହି ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇଛି। ପୁଲିସ, ସିଡବ୍ଲୁସି, ଶିଶୁ ମଙ୍ଗଳ ଅଧିକାରୀ ପିଙ୍କି ଘରକୁ ଯାଇ ପଚରାଉଚରା କରିଛନ୍ତି। ଦାରିଦ୍ର୍ୟ ପାଇଁ ଶିଶୁର ଲାଳନପାଳନ ଅସୁବିଧା ହେବ ବୋଲି ତାକୁ ଅନ୍ୟ ଜଣଙ୍କୁ ଦେଇଥିବା ପିଙ୍କି ସ୍ବୀକାର କରିଛନ୍ତି। ପିଙ୍କି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବୈଦେଇପାଲି ଗାଁରେ ବିବାହ କରିଥିଲେ। ଦୁଇବର୍ଷ ହେଲା ତାଙ୍କ ସ୍ବାମୀଙ୍କ ପରଲୋକ ଘଟିଛି। ଏବେ ପ୍ରଶ୍ନ ଉଠୁଛି, ସେ ବିକ୍ରି କରିଥିବା ଶିଶୁପୁତ୍ରର ଅସଲ ପିତା କିଏ? ଅନ୍ୟପକ୍ଷରେ ଶିଶୁଟିକୁ କିଏ କିଣିବାକୁ ଉଦ୍ୟମ କରିଥିଲା, ସେ ନେଇ ‌ପୁଲିସ ଖୋଳତାଡ଼ କରୁଛି।