ପବିତ୍ର ଓଡି଼ଆ ନବବର୍ଷ ରେ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ
1 min read
ଭୁବନେଶ୍ୱର : ଆଜି ପବିତ୍ର ଓଡିଆ ନୂଆବର୍ଷ । ମହାବିଷୁବ ସଂକ୍ରାନ୍ତି । ମହାବୀର ହନୁମାନ ଜୟନ୍ତୀ । ଆଜି ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଓଡିଆ ପାଞ୍ଜିର ହେବ ଶୁଭାରମ୍ଭ । ଆଜି ଭାରତର ସମ୍ବିଧାନ ପ୍ରଣେତା , ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଅବହେଳିତ, ଦଳିତଙ୍କ ସ୍ୱାର୍ଥ ଓ ସମ୍ମାନ ତଥା ସାମାଜିକ ସମରସତାର ମୂର୍ତ୍ତୀମନ୍ତ ପ୍ରତୀକ ଡକ୍ଟର ଭୀମରାଓ ଆମ୍ବେଦକର ଙ୍କର ଜନ୍ମ ଜୟନ୍ତୀ । ଆଜିର ଏହି ପବିତ୍ର ଶୁଭ ଦିନରେ ଆମ ରାଜ୍ୟର, ରାଜ୍ୟ ବାହାରେ ଏବଂ ସାରା ବିଶ୍ୱରେ ବସବାସ କରୁଥିବା ଓଡିଆ ମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଗାମୀ ବର୍ଷ ଓ ଆଗକୁ ଆହୁରି ଅନେକ ଅନେକ ବର୍ଷ ଆପଣଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦର ହାତ ରହୁ ଏହା ହିଁ କାମନା କରୁଛି ।
ଗତ କିଛିଦିନ ତଳେ ଚଳିତ ଅପ୍ରେଲ ମାସ 1 ତାରିଖରେ ଆମେ ଓଡିଶା ଦିବସ ପାଳନ କରିଛନ୍ତି । ଅପ୍ରେଲ 1 ଓଡିଶା ଦିବସରୁ ଅପ୍ରେଲ 14 ଓଡିଆ ନୂଆବର୍ଷ ପର୍ଯ୍ୟନ୍ତ ଆମେ ଓଡିଆ ଭାବରେ ଆମ ସ୍ୱାଭିମାନ , ପରିଚୟ ଓ ଅସ୍ମିତାରେ ଯୋଡି ହେବାପାଇଁ ଓ ଏଥିରୁ ପ୍ରେରଣା ନେବାପାଇଁ ପ୍ରତିଦିନ ଓଡିଆ ସ୍ୱତନ୍ତ୍ର ପରିଚୟର ଉତ୍ସବ ପାଳନ କରିଛେ । ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୁତିକୁ ନେଇ ଗତ 14 ଦିନ ଧରି ଆମ ପରିଚୟକୁ ଖୋଜିବା ସହ ନୂଆ ପୀଢି ପାଖକୁ ବାର୍ତ୍ତା ପହଁଞ୍ଚାଇବା ପାଇଁ ଚେଷ୍ଟା କରିଛେ । ଏହି ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ବିନ୍ଧାଣୀ ମହାପୁରୁଷ ଓ ମହୟସୀ ମାନଙ୍କୁ, ଯେଉଁମାନଙ୍କ ତ୍ୟାଗ, ବଳିଦାନ ଯୋଗୁଁ ସମ୍ଭବ ହୋଇଥିଲା ଖଣ୍ଡବିଖଣ୍ଡିତ ଓଡିଶାର ଏକତ୍ରୀକରଣ , ସେମାନଙ୍କୁ ଯଥୋଚିତ ସମ୍ମାନ ଦେଉଛୁ ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର 91 ତମ ପ୍ରତିଷ୍ଠା ଦିବସରୁ ଆଜି 14 ଅପ୍ରେଲ ମହାବିଷୁବ ପଣାସଂକ୍ରାନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୁତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡିଶାର ନୂଆ ଅବସର ପାଇଁ ସୁଯୋଗ ସୃଷ୍ଟି କରୁ , ଆଜି ଦିନରେ ଏହା ହିଁ କାମନା ।
ଆସନ୍ତୁ ମନ, ପ୍ରାଣ, ହୃଦୟରୁ ଓଡିଆ ହେବା । ଓଡିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୁତିକୁ ଆମର ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ୱାଭିମାନୀ ଓଡିଆ ଗଠନ କରିବାକୁ ସଂକଳ୍ପ ନେବା ।
ଓଡିଆ ଆଜି ଯାହା ଚିନ୍ତା କରେ, ସାରା ଦେଶ ଆଗାମୀ ଦିନରେ ସେହି ରାସ୍ତାରେ ଯାଏ । ସ୍ୱାଧୀନତା ପୂର୍ବରୁ ଆମ ଜାତି ଭାଷା ଆଧାରିତ ରାଜ୍ୟ ଗଠନ ପାଇଁ ଦୀର୍ଘ ଦଶନ୍ଦି ଧରି ଲଢେଇ କରିଥିଲା । ସ୍ୱାଧୀନତା ପରେ ଆମ ଦେଶରେ ରାଜ୍ୟ ଗଠନର ଆଧାର ହେଲା ଭାଷା । ଉତ୍କଳଗୌରବ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଦାସ, କର୍ମବୀର ଗୌରୀଶଙ୍କର, ସ୍ୱଭାବକବି ଗଙ୍ଗାଧର, ବ୍ୟାସକବି ଫକୀର ମୋହନ , ପାରଳାମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏମିତି ଆହୁରି ଅନେକ ନେତୃତ୍ୱଙ୍କର ଦୂରଦୃଷ୍ଟିର ଓଡିଆ ଜାତି ହିଁ ଦାୟାଦ ।
ଥରେ ଭାବନ୍ତୁ- ଆମେ କଳିଙ୍ଗ ଯୁଦ୍ଧ ହାରିନଥିଲୁ । ବୀର ଓଡିଆଙ୍କ ଶକ୍ତି , ସାମର୍ଥ୍ୟ ଓ ସାହାସ ଆଗରେ ସମ୍ରାଟ ଅଶୋକଙ୍କ ମଥାନତ ହୋଇଥିଲା । ସଂସ୍କୃତ ପରେ ମହାଭାରତ ଓଡିଆ ଭାଷାରେ ହିଁ ପ୍ରଥମେ ରଚିତ ହୋଇଥିଲା । କାଳିଦାସ ତାଙ୍କ କାବ୍ୟ ମେଘଦୂତରେ କଳିଙ୍ଗର ରାଜାଙ୍କୁ ମହୋଦଧିପତି ଭାବରେ ଅବିହିତ କରିଥିଲେ । ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ସାରା ବିଶ୍ୱରେ ମହିଳା ସଶକ୍ତିକରଣର ନୂତନ ବାର୍ତା ଦେଇଥିଲା । ମା ଲକ୍ଷ୍ମୀ ତଥାକଥିତ ସମାଜର ପଛୁଆବର୍ଗର ମହିଳା ଶ୍ରୀୟା ଘରକୁ ଯାଇ ସ୍ୱଚ୍ଛତାର ବାର୍ତ୍ତା ଉପରେ ମୋହର ଲଗାଇଥିଲେ । କୋଣାର୍କର ସୂର୍ଯ୍ୟମନ୍ଦିର କେବଳ ଭାସ୍କର୍ଯ୍ୟର ପେଣ୍ଠସ୍ଥଳୀ ନୁହେଁ ବରଂ ବାଳସୂର୍ଯ୍ୟ , ଉଦିତ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ନିର୍ଦ୍ଧିଷ୍ଟ ସ୍ଥିତି ଓ ଅବସ୍ଥିତି ଓ ଗଣନା ଆଧାରରେ ଆଷ୍ଟ୍ରୋ ଫିଜିକ୍ସର ଓଡିଆଙ୍କ ପାରଙ୍ଗମତାର ନିଦର୍ଶନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 800 ବର୍ଷ ପୁରୁଣା ମନ୍ଦିରର ଦୃଢତା ଓ ସ୍ଥାୟୀତ୍ୱ ଓଡିଆ ଜାତିର , ଷ୍ଟ୍ରକଚରାଲ ଇଂଜିନିୟରିଂ ଓ କେମିକାଲ ଇଂଜିନିୟରିଂ କ୍ଷେତ୍ରରେ ନୈପୁଣ୍ୟତାର ପ୍ରମାଣ । ଏହାକୁ ମାନିବାକୁ ହେବ । ଭୀମଭୋଇଙ୍କ ପ୍ରାଣୀଙ୍କ ଆରଣ ଦୁଃଖ ଅପ୍ରମିତ କାଳଜୟୀ କବିତା ମହିମା ବିଚାର ଯେ, ବିଶ୍ୱର ସବୁଠୁ ବଡ ଦର୍ଶନ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ହକଦାର୍ , ଏଥିରେ କେହି ଦ୍ୱିମତ ହେବେ ନାହିଁ । ସମ୍ବଲପୁର, କୋଟପାଡ, ପଶାପାଲି, ମାଣିଆବନ୍ଧ ସମେତ ପ୍ରାୟ ସବୁ ଜିଲ୍ଲାର ବସ୍ତ୍ର ଓ ହସ୍ତକଳାର ପ୍ରାଚୁର୍ଯ୍ୟ ତଥା ଆମର କଳା ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ ବିଶ୍ୱକୁ ପ୍ରଭାବିତ କରିବା ପାଇଁ ବଡ ସମ୍ଭାବନା ରଖିଛି । ଏହାକୁ କେହି ବି ସ୍ୱୀକାର କରିବ ।
ଦିଲ୍ଲୀରେ ମୋଦିଜୀଙ୍କର ହେଉ ବା ଓଡିଶାରେ ତାଙ୍କ ମାର୍ଗ ଦର୍ଶନରେ ଚାଲିଥିବା ସରକାର ସବୁବେଳେ ଲୋକଙ୍କ ସରକାର । ଯଦି ପ୍ରତି ଓଡିଆ ପାଦେପାଦେ ଆଗକୁ ଚାଲିବେ ତାହାହେଲେ ଓଡିଶା ସାଢେ 4କୋଟି ପାଦ ଆଗକୁ ଯିବ । କହିବାର ଉଦ୍ଦେଶ୍ୟ ଆମେ ଓଡିଶାବାସୀ ଓଡିଶାର ଭାଗ୍ୟ ନିର୍ଧାରକ । ଯଦି ଏ ଜାତି ଆଗକୁ ବଢିବା ପାଇଁ ଦୃଢ ନିଶ୍ଚିତ ହୁଏ ଏହାର ପ୍ରଗତୀକୁ କେହି ରୋକି ପାରିବେ ନାହିଁ ।
ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ହିସାବରେ ଓ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଯେତେବେଳେ ଯେତେବେଳେ ନୂଆ ଓଡିଶାର ନୂଆ ପୀଢି ସହ ମିଶିଛି ସେମାନଙ୍କ ଆଖିରେ ନିଜେ ବଡ ହେବାର ଓ ଆମ ମାତୃଭୂମିକୁ ପ୍ରଗତୀର ଶୀର୍ଷରେ ପହଁଞ୍ଚାଇବାର ଶପଥର ଝଲକକୁ ମର୍ମେ ମର୍ମେ ଅନୁଭବ କରିଛି ।
ଓଡିଶା ମାଟିତଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅମାପ ଖଣିଜ ସମ୍ପଦ ଦେଇଛନ୍ତି । ଉଚ୍ଚମାନର ଲୁହାପଥର, ବକ୍ସାଇଟ, କ୍ରୋମାଇଟ୍, ମାଙ୍ଗାନିଜ, କୋଇଲା, ଚୂନପଥର, ଲାଇମଷ୍ଟୋନ୍ , ଡୋଲମାଇଟ୍ , ଗ୍ରାଫାଇଟ୍ ର ଅମାପ ଭଣ୍ଡାର ଦେଇଛନ୍ତି ।
ଆମର ନଦନଦୀ, ଜଳଶକ୍ତିରେ ଓଡିଶାକୁ ବେଶ ସମୃଦ୍ଧ କରିଛି । 480 କିଲୋମିଟର ବ୍ୟାପୀ ସୁଦୀର୍ଘ ବେଳାଭୂମି ଆମର ଅନନ୍ୟ ସମ୍ପଦ । ନୀଳ ଅର୍ଥନୀତିର ବଡ ସମ୍ଭାବନାର ସୁଯୋଗ ଆମକୁ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଓଡିଶା ପାଖରେ ଅଛି ଅମାପ ଜଙ୍ଗଲ ସମ୍ପଦ । ଜଙ୍ଗଲ ସହିତ ଜଡିତ ଆଦିବାସୀ ଓ ବନଜାତ ଦ୍ରବ୍ୟ ଓ ଜଙ୍ଗଲ ସହିତ ଜଡିତ ଆର୍ଥିକ ବିକାଶର ଅନେକ ଦିଗ ବିକାଶର ବାଟରେ ଆମ ରାଜ୍ୟକୁ ଆଗେଇ ନେବାପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି ।
ଓଡିଶା ଆଜି ଦିନରେ ଭୌତିକ ଦୃଷ୍ଟିରୁ ଦେଶର ଅନ୍ୟରାଜ୍ୟ ମାନଙ୍କ ତୁଳନାରେ ହୁଏତ ପଛରେ ଥାଇପାରେ । ମାତ୍ର ଆମ ଯୁବପୀଢିର ବୌଦ୍ଧିକ ଶକ୍ତି ଦେଶର କୌଣସି ବି ରାଜ୍ୟ ଠାରୁ ପଛରେ ନୁହେଁ ଏକଥା ମୁଁ ଦୃଢତାର ସହିତ କହିପାରିବି । ଭାରତର ବଡ ବୁଦ୍ଧି ଆଧାରିତ ସୂଚନା ଓ ପ୍ରଯୁକ୍ତି ବା ଆଇଟି ଶିଳ୍ପରେ ଓଡିଆ ନୂଆ ପୀଢିର ଯୋଗଦାନକୁ ଯେ କେହି ବି ସ୍ୱୀକାର କରିବ ।
ଓଡିଆ ଜାତି ପରିଶ୍ରମୀ । ଏକଥା ସତ ଆମ ମାଟିରେ ଆମ ଲୋକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇ ଦିଆଯାଇ ପାରିନାହିଁ । ମାତ୍ର ଦଶନ୍ଧି ଦଶନ୍ଧି ଧରି ଆମ ଲୋକମାନଙ୍କର ଝାଳରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶ ମାନେ ଯେ, ଆର୍ଥିକ ପ୍ରଗତୀର ଶୀର୍ଷକୁ ଯିବାପାଇଁ ସଫଳ ହୋଇଛନ୍ତି ଏଥିରେ କେହି ଦ୍ୱିମତ ହେବେ ନାହିଁ ।
ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି । ଆମେ ଆମର ଅପାର ସମ୍ଭାବନାକୁ ସଠିକ୍ ଉପଯୋଗ ନକରିବା କାରଣରୁ ଆମେ ସାରା ଦେଶରେ ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ପ୍ରଗତୀର ମାପଦଣ୍ଡରେ ପଛରେ ପଡିଛେ । କାହାକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ହଟିଯିବା ମୋ ଭଳି ଗରୀବ ପୁଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଁଞ୍ଚିଥିବା ମେହନତୀ ମଣିଷ ପକ୍ଷରେ ସମ୍ଭବ ନୁହେଁ ।
ଭଗବାନ ଆମକୁ ଖଣି ଦେଇଛନ୍ତି । ଗତ କିଛି ବର୍ଷରେ ମୋଦି ସରକାରଙ୍କର ଖଣି ଓ ଖଣି ଆଧାରିତ ନୀତିରେ ପରିବର୍ତ୍ତନ ଓ ଖଣିଥିବା ରାଜ୍ୟକୁ ଏହାର ସବୁ ଫାଇଦା ଦେବା କାରଣରୁ ଓଡିଶାର ବଜେଟ ଆକାରକୁ ବହୁତ ବଢାଇଛି । ସରକାରଙ୍କର ବଜେଟ୍ ସାଇଜ ବଡ ହୋଇଛି ସତ କିନ୍ତୁ ଓଡିଆ ଲୋକଙ୍କର ରୋଜଗାର ଯେତିକି ବଢିବା କଥା ତାହା ବଢି ପାରିନାହିଁ ।
ଖଣି ଆଧାରିତ ରାଜ୍ୟ ରାଜସ୍ୱ ତ ମିଳିବ କିନ୍ତୁ ଆମକୁ ଖଣି ବାହାରେ ପୁରୁଷାର୍ଥ କରିବାକୁ ପଡିବ । କୃଷି, କୃଷି ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକ୍ରିୟାକରଣର ସମ୍ଭାବନାକୁ ମୋ ସରକାର ପ୍ରାଥମିକତା ଦେଇଛି । ଓଡିଆ ଲୋକଙ୍କୁ ଚାକିରିଆ ନୁହେଁ ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟମୀ ହେବାପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ଆମେ ଉଦ୍ୟମରତ । ଶିଳ୍ପ, କ୍ଷୁଦ୍ର, ଲଘୁ ଉଦ୍ୟୋଗ ଏବଂ ଓଡିଶାର ପାରମ୍ପରିକ ଶିଳ୍ପ ଯଥା ବୟନଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଁଞ୍ଚାଇବାର ବଡ ଯୋଜନାକୁ କ୍ରିୟାନ୍ୱିତ କରିବା ପ୍ରକ୍ରିୟାରେ ଆମେ ଲାଗି ପଡିଛୁ ।
ଦେଶ ଏବେ ଅମୃତକାଳରେ । 2047ରେ ଆମ ଦେଶ ସ୍ୱାଧୀନତାର 100 ବର୍ଷ ପାଳନ କରିବ । ମାତ୍ର ଏହାର ପୂର୍ବରୁ 2036 ମସିହାରେ ଓଡିଶା ଭାଷାଭିତ୍ତିକ ରାଜ୍ୟଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବର୍ଷ ପୂରଣ କରିବ । ଆମର ସଂକଳ୍ପ ଦେଶ ଯେତେବେଳେ 100 ବର୍ଷ ପୂରଣ କରିବ ଦେଶକୁ ବିଶ୍ୱର ଏକ ନମ୍ବର ଅର୍ଥନୀତି କରିବାରେ ଓଡିଶା ଏକ ନିର୍ଣ୍ଣାୟକ ଭୂମିକା ନେବ । ସେଥିପାଇଁ 2036 ସୁଦ୍ଧା ଓଡିଶାକୁ ଖାଲି ଭାରତର ନୁହେଁ ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଆଗୁଆ ଭୂଖଣ୍ଡ ଭାବେ ଗଢି ତୋଳିବା ପାଇଁ ଆମକୁ ଯୋଜନାରେ ସଫଳ ହେବାକୁ ପଡିବ । ହାତରେ ମାତ୍ର 11 ବର୍ଷ, ମାନେ 11 X 365 ମୋଟ 4015 ଦିନ । ଯୋଜନାବଦ୍ଧ କଠିନ ପରିଶ୍ରମ ହିଁ ଆମର ନିଷ୍ଠା
ଆମ ଆତ୍ମବିଶ୍ୱାସ ଆମର ଶକ୍ତି । ଆମ ରାଜାଙ୍କ ବିଜୟ ପାଇଁ କଳା ଧଳା ଘୋଡାରେ ଚଢି ଆମ ବଡ ଠାକୁର ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ଓଡିଆଙ୍କ ଲୋକବିଶ୍ୱାସ । ଓଡିଆ ସାଧବପୁଅ ସାତ ଦରିଆ ତେର ନଇ ଡେଇଁ ସମୁଦ୍ର ପଥରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା । ଓଡିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ କରି ଓଡିଶାକୁ ପ୍ରଗତୀର ଶୀର୍ଷରେ ପହଁଞ୍ଚାଇବା ପାଇଁ ଆଜି ଓଡିଆ ନୂଆବର୍ଷରେ ଆସନ୍ତୁ ଦୃଢ ସଂକଳ୍ପ ନେବା