ଭୁବନେଶ୍ଵରରେ ଦୃଷ୍ଟିବାଧିତ ମା’ କୋଳରୁ ଶିଶୁକୁ ଚୋରି କରିନେଲେ
1 min read
ଭୁବନେଶ୍ଵର: ଦୃଷ୍ଟିବାଧିତ ମା’ କୋଳରୁ ଶିଶୁକୁ ଚୋରି କରିନେଲେ ରାଜଧାନୀରେ ପିଲା ଚୋରି। ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ଭୁବନେଶ୍ଵରର ରାମମନ୍ଦିର ନିକଟରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ମହିଳା ଏ ସମ୍ପର୍କରେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମହିଳା ଜଣକ ରାମ ମନ୍ଦିର ନିକଟରେ ଭିକ୍ଷାବୃତ୍ତି ସହିତ ବିଭିନ୍ନ ସମାଗ୍ରୀ ବିକ୍ରି କରି ପରିବାର ପୋଷଣ କରନ୍ତି। ତାଙ୍କର ଏକ ଦେଢ଼ ବର୍ଷର ଶିଶୁ ଏବଂ ଆଉ ଏକ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି। ଶନିବାର ରାତିରେ ମହିଳା ଜଣକ ରାମ ମନ୍ଦିର ପାଖରେ ଶୋଇଥିଲେ। କେହି ଦୁର୍ବୃତ୍ତ ଆସି ତାଙ୍କ କୋଳରୁ ପିଲାକୁ ଝାମ୍ପି ନେଇଥିବା ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶିଶୁଟିକୁ ଖୋଜିବାକୁ ଉଦ୍ୟମ ଚଳାଇଛି।