September 7, 2024

ରାଜନୈତିକ ଚିଠାରେ ୫ଟି ପ୍ରସ୍ତାବ ପାରିତ

1 min read

ପୁରୀ: ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ବୈଠକର ଦ୍ଵିତୀୟ ଦିନରେ ରାଜନୈତିକ ଚିଠା ପାରିତ ହୋଇଛି। ଏଥିରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

“ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ୨୦୩୬ ମସିହାକୁ ଆଖି ଆଗରେ ରଖି ୧୨ ବର୍ଷର ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ତୃଣମୂଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଶାସନ ପାଇଁ ସଂକଳ୍ପ ନେଇଛନ୍ତି। ବିଜେପି ପ୍ରତି ଜନତାଙ୍କ ଯେଉଁ ବିଶ୍ୱାସ ରହିଛି ତାହା ଆମେ ଅତୁଟ ରଖିବୁ”, କହିଛନ୍ତି ସୁରେଶ ପୂଜାରୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ନୂଆ ସରକାର ଗଠନ ହେବାର ଅଳ୍ପ ଦିନ ମଧ୍ୟରେ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମୋହର ବାଜିଛି। ମାସକ ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ତାଲା ଖୋଲିବା, ଶ୍ରମିକଙ୍କ ପାରିଶ୍ରମିକ, ଚାଷୀଙ୍କୁ ଧାନ କ୍ୱଂଇଟାଲ ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହା ରାଜ୍ୟବାସୀଙ୍କ ଆଶା ଆକାଂକ୍ଷାର ଅନୁରୂପ ହୋଇଛି ବୋଲି ଆମର ବିଶ୍ବାସ।”

ସେ ଆହୁରି ମଧ୍ୟ କହିଛନ୍ତି, “ନିର୍ବାଚନ ସମୟରେ ବିଜେପି ଓଡ଼ିଆ ଅସ୍ମିତାକୁ ମୂଳ ପ୍ରସଙ୍ଗ କରିଥିଲା। ତେବେ ଓଡ଼ିଆ ଅସ୍ମିତାକୁ ଆଗାମୀ ଦିନରେ ରକ୍ଷା କରିବା ସହ ଆହୁରି ରୁଦ୍ଧିମନ୍ତ କରି ବିଶ୍ୱଦରବାରରେ କିଭଳି ପହଁଞ୍ଚିବ ସେ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଛି। ଏହାସହ ରାଜ୍ଯରେ ଦୁର୍ନୀତିମୁକ୍ତ ସରକାର ପାଇଁ ସଂକଳ୍ପ ନିଆଯାଇଛି। ଓଡ଼ିଶାର ସନ୍ତୁଳିତ ବିକାଶ ପାଇଁ ଆମେ ତତ୍ପର ହୋଇ କାମ କରିବୁ।”
ଶୁକ୍ରବାର ବିଜେପିର ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକରେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ସବୁ ମନ୍ତ୍ରୀ, ସାଂସଦ ଓ ଦଳର ଅନ୍ୟ ପଦାଧିକାରୀମାନେ ସାମିଲ ହୋଇଥିଲେ।

ଏହି ବୈଠକରେ ରାଜ୍ଯରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି।

ଏହି ବୈଠକରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ। ଏହାସହ ବୈଠକରେ ରାଜ୍ୟର ସବୁ ବିଜେପି ବିଧାୟକ, ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *