September 8, 2024

ବିନ୍ଦୁସାଗରରୁ ଦଳ ସଫେଇ ଆରମ୍ଭ, ୧୦ରୁ ଚନ୍ଦନ ଯାତ୍ରା

1 min read

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଚନ୍ଦନ ଯାତ୍ରା। ସେହିଦିନ ଠାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କ ସହ ବିନ୍ଦୁସାଗର ପୁଷ୍କରିଣୀରେ ୨୨ଦିନ ଚାପ ଖେଳିବେ। ହେଲେ ବିନ୍ଦୁସାଗରରେ ଏବେ ଦଳ ଭର୍ତି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଏମ୍‌ସି ତତ୍ପର ହୋଇଛି। ଚନ୍ଦନଯାତ୍ରାକୁ ଆଖି ଆଗରେ ରଖି ବିଏମ୍‌ସି ପକ୍ଷରୁ ଦଳ ସଫେଇ ଆରମ୍ଭ ହୋଇଛି।

ଏଥିସହ ଜଗତିକୁ ମଧ୍ୟ ସଫା କରାଯାଉଛି। ଏଥିପାଇଁ ୧୦ଲକ୍ଷ ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି। ସକାଳ ସମୟରେ ୪୫ଜଣ ଦଳ ସଫେଇ ପାଇଁ ନିୟୋଜିତ ରହିଥିବା ବେଳେ ଅପରାହ୍ନରେ ୨୧ଜଣ ଲୋକ କାମ କରୁଛନ୍ତି ବୋଲି ସଫେଇ ସୁପଭାଇଜର ବୈକୁଣ୍ଠନାଥ ଭୋଇ କହିଛନ୍ତି। ପୁଷ୍କରିଣୀ ଚାରିପଟେ ଥିବା ଦଳକୁ ଭିଡ଼ି କୋଣରେ ଉଠାଯାଇ ରାସ୍ତା କଡ଼କୁ ଅଣାଯାଉଛି। ଏହାପରେ ବିଏମ୍‌ସି ସଫେଇ ଗାଡ଼ି ରାସ୍ତାରୁ ଏହାକୁ ଉଠାଇ ପରିଷ୍କାର କରୁଛି।

ପରମ୍ପରା ଅନୁଯାୟୀ ମହାପ୍ରଭୁ ୨୨ଦିନ ଧରି ଚାପ ଖେଳିବାକୁ ବିନ୍ଦୁସାଗରକୁ ଯିବେ। ସନ୍ଧ୍ୟାରେ ଚାପ ଖେଳି ଜଗତିରେ ଚନ୍ଦନ କୁଣ୍ଡରେ ବିଶ୍ରାମ ନେବେ। ଏଥିସହ ସେଠାରେ ଠାକୁରଙ୍କ ପାଇଁ ଭୋଗ ରନ୍ଧା ହେବ। ଏଥିପାଇଁ ଜଗତିର ଠାକୁର ଘର, ରୋଷ ଓ ବାହାର ପାଚେରିକୁ ଲିଚୁମାଳାରେ ସଜାଯିବ। ଚନ୍ଦନ ଯାତ୍ରାକୁ ଆଉ ମାତ୍ର ଦିନ କେଇଟା ରହିଥିବା ବେଳେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଦଳ ସଫେଇ କରାଯାଉଛି। ଅନ୍ୟପଟେ ଚାପ ଡଙ୍ଗାକୁ ପାଣିରୁ ବାହାର କରାଯାଇଛି। ଡଙ୍ଗାକୁ ମରାମତି କରିବା ସହ ରଙ୍ଗ କରାଯିବ।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦନଯାତ୍ରା ପାଇଁ ୨୨ ଦିନ ଯାଏ ପ୍ରତ୍ୟହ ମଧ୍ୟାହ୍ନ ୧୨ଟାରୁ ମନ୍ଦିରରେ ସାହାଣମେଲା ଦର୍ଶନ ବନ୍ଦ ରହିବ। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ପାଲିଙ୍କି ଓ ବିମାନ ପ୍ରସ୍ତୁତ କରାଯିବ। ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଦ୍ବିପ୍ରହର ଧୂପ ଶେଷ କରାଯିବ। ଏହାପରେ ଦେବଦେବୀ ବାହାରି ବିନ୍ଦୁସାଗର କୂଳକୁ ଯିବେ। ସେଠାରେ ଚାପଖେଳ ଆରମ୍ଭ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *