ଭୁବନେଶ୍ୱର: ‘ଓଡ଼ିଶା ଖଦି ମେଳା-୨୦୨୪’ ଉଦ୍ଘାଟିତ
1 min readଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ଓଡ଼ିଶା ଖଦି ମେଳା-୨୦୨୪’। ମଙ୍ଗଳବାର ସ୍ଥାନୀୟ ଖାରବେଳ ନଗରସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ମେଳା ଉଦ୍ଘାଟିତ ହୋଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଉଦ୍ଘାଟନ କରିଛନ୍ତି। ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ।
ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଓଡ଼ିଶା ଖଦି ମେଳା ଆୟୋଜିତ ହେଉଛି। ଗୋଟିଏ ସ୍ଥାନରେ ଖଦି ଉତ୍ପାଦକୁ ପ୍ରଦର୍ଶିତ କରିବା ସହ ବୁଣାକାରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ମେଳାର ମୂଳ ଲକ୍ଷ୍ୟ।
“ଖଦି ହେଉଛି ସ୍ଵଦେଶୀ, ସ୍ଵରାଜ ଓ ସ୍ଵାବଲମ୍ବନର ପ୍ରତୀକ। ଦାରିଦ୍ର୍ୟ ଦୂରୀକରଣ ଓ ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବାର ଏକ ପ୍ରମୁଖ ଅସ୍ତ୍ର। ଏହାର ସଂରକ୍ଷଣ ଓ ବହୁଳ ପ୍ରଚାର ପ୍ରସାର ସହ ଖଦି ବୁଣାକାରମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ଆମର ଲକ୍ଷ୍ୟ। ଏନେଇ ଆମେ ସମସ୍ତେ ସପ୍ତାହରେ ଥରଟିଏ ଖଦି ପିନ୍ଧିବା ଲାଗି ଅଭ୍ୟାସ କରିବା”, କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ଏହି ଖଦି ମେଳାରେ ଚଳିତଥର ମୋଟ୍ ୧୦୦ଟି ଷ୍ଟଲ୍ ଖୋଲାଯାଇଛି। ସେଥିରୁ ୩୨ଟି ଖଦି ଓ ୬୩ ଗୋଟି ଗ୍ରାମୋଦ୍ୟୋଗ ଓ ୫ଟି ଖାଦ୍ୟ ଷ୍ଟଲ୍ ରହିଛି। ମେଳରେ ଖଦି ବସ୍ତ୍ର, ଶାଢ଼ି, ଶାଲ, ଜ୍ୟାକେଟ, ଗ୍ରାମୋଦ୍ୟୋଗ ସାମଗ୍ରୀ ବିକ୍ରି ହେଉଛି। ପ୍ରତ୍ୟେକ ଦିନ ଅପରାହ୍ଣ ୩ଟାରୁ ରାତି ୧୦ଟା ଯାଏଁ ଲୋକମାନେ ମେଳାରେ ମନ ପସନ୍ଦର ସାମଗ୍ରୀ କିଣି ପାରିବେ।
ଏଥର ମେଳାରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ବୁଣାକାରମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରୁଛନ୍ତି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଖଦି ବୁଣାର ଲାଇଭ୍ ଡେମନଷ୍ଟ୍ରେସନ ମଧ୍ୟ କରାଯାଉଛି। ଏହାସହ ପାରମ୍ପରିକ ଖାଦ୍ୟ ସହ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ରାଜ୍ୟ ଖଦି ବୋର୍ଡର ସଚିବ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।