November 14, 2024

ଦୀପାବଳିରେ ବାଣ ବିସ୍ଫୋରଣ

1 min read

ଦୀପାବଳି ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଅଘଟଣ ଘଟଛି । ପୋଲିସ ଲାଇନ ଅଞ୍ଚଳର ଜଣେ ନାବାଳକଙ୍କ ହାତ ଉପରକୁ କେହି ଜଣେ ଏକ ବାଣ ଫିଙ୍ଗି ଦେବାରୁ ତାଙ୍କ ହାତରେ ଫାଟି ଯାଇଥିଲା । ଯାହାଫଳରେ ନାବାଳକର ହାତ ପାପୁଲି ଜଳି ଯାଇଥିଲା । ସେହିପରି ଅଇଁଠାପାଲିରେ ଜଣେ ବ୍ୟକ୍ତି ତାଙ୍କ ଗ୍ୟାରେଜ ସମ୍ମୁଖରେ ବାଣ ଫୁଟାଉଥିବା ବେଳେ ହାତରେ ଫାଟି ଯାଇଥିଲା । ଫଳରେ ତାଙ୍କ ପାପୁଲିଟି ଫାଟି ଯାଇଥିଲା କ୍ଷ ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଛି ।

ସେପଟେ ସୋରର ବିଭିନ୍ନ ଅଞ୍ଚଳରୁ ନାବାଳକଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଆଜି ଆଲୋକର ପର୍ବ ଦୀପବଳୀକୁ ଲୋକେ ବହୁ ଆନନ୍ଦର ସହ ପାଳୁଥିବା ବେଳେ ବାଣ ଫୁଟାଇବା କାରଣରୁ ଏହିଭଳି ଅଘଟଣ ଘଟିଥିବା ଜଣାପଡିଛି । ଘର ଆଗରେ ବାଣ ଫୁଟାଉଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ହାତରେ ବାଣର ନିଆଁ ଲାଗି ଜଳି ଯାଇଥିଲା । ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ରେମୁଣା ବସଷ୍ଟାଣ୍ଡ ସାମ୍ନାରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ନିଆଁ ଲାଗି କାଠ ସାମଗ୍ରୀ ଓ ଯନ୍ତ୍ରପାତି ପୋଡ଼ି ଯାଇଛି । ଦୋକାନୀ ମାଲିକ ରାଜୀବ ଲୋଚନ ସିଂ ସନ୍ଧ୍ୟା ବେଳେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ସ୍ଥାନୀୟ ଲୋକେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ରାଜୀବଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଦୋକାନରେ ଥିବା ଅଳ୍ପ କାଠ ସାମଗ୍ରୀ ଓ ମେସିନ ଜଳି ଯାଇଛି । ଦୋକାନ ପାଖରେ ପଡିଥିବା କାଠ ଗୁଣ୍ଡରେ ବାଣ ନିଆଁ ପଡ଼ି ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି ।

ପୁରୀ ବାଟ ଗାଁରେ ବି ବାଣ ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ସ୍ଥାନୀୟ ଅଞ୍ଚଳର ଏହି ୧୯ ବର୍ଷୀୟ ଯୁବକ ବୁଲା ରାଉତ ବୋଲି ଜଣା ପଡ଼ିଛି । ସେହିପରି କଟକ, କେନ୍ଦ୍ରାପଡା ଏବଂ ନୟାଗଡ ଜିଲ୍ଲାରୁ ମୋଟ ୧୭ ଜଣ ଦୀପାବଳୀରେ ବାଣ ଫୁଟାଇବା ବେଳେ ଅଘଟଣର ଶିକାର ହୋଇଛନ୍ତି । ଆହତ ଅବସ୍ଥାରେ ସେମାନଙ୍କୁ ଏସସିବି ମେଡିକାଲର କାଜୁଆଲିଟିରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ୱର ବାପୁଜୀ ନଗରରେ ଲାଗିଲା ନିଆଁ । ବାପୁଜୀ ନଗର ଭେଣ୍ଡିଂ ଜୋନରେ ଲାଗିଥିଲା ନିଆଁ । ୩ଟି କ୍ୟାବିନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଆଉ ୩ଟି ଦୋକାନରେ ଆଂଶିକ ନିଆଁ ଲାଗିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ୩ଟି ସାଇକେଲ ଦୋକାନ ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀର ୨ଟି ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେହି ବ୍ୟକ୍ତି ଆହତ ହୋଇ ନାହାଁନ୍ତି । ତେବେ ବାଣ ପାଇଁ ନା ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ ।