October 18, 2024

ରାଜୌରୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ପଣ୍ଡ କଲା ସେନା

1 min read

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ରାଜୌରୀ ଠାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦେଇଛି ସେନା। ସେବେଠାରୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି।

ଗତ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ ଘଟଣାରେ ବୃଦ୍ଧି ଘଟିଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା। ଏହି ଆକ୍ରମଣ ପଛରେ ପାକିସ୍ତାନ ହାତ ଥିବା କୁହାଯାଉଛି। ସମ୍ପୃକ୍ତ ଅଞ୍ଚଳରେ ଅନୁପ୍ରବେଶ ଘଟଣା ମଧ୍ୟ ବୃଦ୍ଧି ପାଇଛି। ତେବେ ଆତଙ୍କବାଦକୁ ଲୋପ କରିବା ପାଇଁ ବଡ଼ ଅପରେଶନ ଆରମ୍ଭ କରିଛନ୍ତି।

ଏହାରି ମଧ୍ୟରେ ଜମ୍ମୁ କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଏକ ଉଚ୍ଚ ସ୍ତରୀୟ ମିଳିତ ସୁରକ୍ଷା ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସୀମା ସୁରକ୍ଷା ବଳ (ବିଏସଏଫ), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ଜମ୍ମୁ କଶ୍ମୀର ପୋଲିସର ମହାନିର୍ଦ୍ଦେଶକ, ଗୁପ୍ତଚର ଏଜେନ୍ସିର ମୁଖ୍ୟ ତଥା ଅନ୍ୟ ବରିଷ୍ଠ ସୁରକ୍ଷା କର୍ମୀମାନେ ଯୋଗ ଦେଇଥିଲେ।

ଏହି ସମୟରେ ଉପ ରାଜ୍ୟପାଳ କହିଥିଲେ ଯେ ଆତଙ୍କବାଦୀ ତଥା ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ହଟାଇବା ପାଇଁ ସମସ୍ତ ଏଜେନ୍ସି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଆତଙ୍କବାଦ ବିରୋଧୀ କାର୍ଯ୍ୟ ଆରମ୍ଭ କରିବା ଉଚିତ। ସୀମାରୁ ଅନୁପ୍ରବେଶକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯିବା ପାଇଁ ସିହ୍ନା ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଜାମ୍ମୁ ଅଞ୍ଚଳରେ ପ୍ରାୟ 50ରୁ ଉର୍ଦ୍ଧ ଆତଙ୍କବାଦୀ ସକ୍ରିୟ ଥିବା ଗୁପ୍ତଚର ଏଜେନ୍ସିର ସୂତ୍ରରୁ ସୂଚନା ମିଳିଛି। ସେମାନଙ୍କୁ ନିପାତ କରିବା ପାଇଁ ଭାରତ ସରକାର ଜମ୍ମୁକୁ 500 ପାରା କମାଣ୍ଡୋ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *