ପୁଣି ଆସୁଛି ଆଉ ଏକ ଲଘୁଚାପ
1 min readଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୫ ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଶ୍ରୀଲଙ୍କା ବା ଦକ୍ଷିଣ ତାମିଲନାଡୁକୁ ମୁହାଁଇବ ଓ ବର୍ଷା ହେବ । କିନ୍ତୁ ରାଜ୍ୟ ଉପରେ ଏହାର ସିଧା ପ୍ରଭାବ ରହିବନି ବୋଲି ବରିଷ୍ଠ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ ସୋମବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ହାଲୁକା ବର୍ଷା ହୋଇପାରେ । ୪ରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ ହାଲୁକା ବର୍ଷା ସମ୍ଭାବନା ଅଛି ।
ଆସନ୍ତା ୪ରୁ ୬ ତାରିଖ ଭିତରେ ଦକ୍ଷିଣ ଅଭ୍ୟନ୍ତରରେ ରାତି ତାପମାତ୍ରା ୪ ଡିଗ୍ରୀ କମିଯିବ । ଫଳରେ ଶୀତ ବଢ଼ିବ । ୨, ୩ ଓ ୯ ତାରିଖରେ ପାଗ ମେଘୁଆ ରହିବ । ଉତ୍ତର ଉପକୂଳ ଓ ଅଭ୍ୟନ୍ତରରେ ୪ରୁ ୬ ତାରିଖ ଭିତରେ ରାତି ତାପମାତ୍ରା ୪ ଡିଗ୍ରୀ କମିବ । ୯ ତାରିଖରେ ପାଗ ମେଘୁଆ ରହିବ । କୁହୁଡ଼ି ବି ଦୃଶ୍ୟମାନ ହୋଇପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ଦିନ ଯାଏ ତାପମାତ୍ରାରେ କିଛି ପରିବର୍ତ୍ତନ ହେବନି । ସୋମବାର ଏ ସବୁ ଅଞ୍ଚଳରେ ପାଗ ମେଘୁଆ ରହିବା ସହ କୁହୁଡ଼ି ଦେଖାଦେବ ।