September 8, 2024

କ୍ଷମତାର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ : ଭର୍ତୃହରି ମହତାବ

1 min read

ଭୁବନେଶ୍ୱର : କଟକ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବଙ୍କ ମତରେ ଆଦିବାସୀମାନେ ଅଣଆଦିବାସୀମାନଙ୍କୁ ଜମି ବିକ୍ରି କରିପାରିବେ ବୋଲି ଓଡ଼ିଶା କ୍ୟାବିନେଟ୍‌ରେ ଏକ ନିଷ୍ପତି ହୋଇଥିଲା । ତେବେ କେଉଁ ପରିପ୍ରେକ୍ଷିରେ ବିଜେଡି ସରକାର ଏହି ନିଷ୍ପତି ନେଇଥିଲା ଏବଂ ତାହା ପଛରେ କେଉଁ ମନ୍ଦ ଉଦ୍ଦେଶ୍ୟ ଥିଲା ତାହା ଓଡ଼ିଶାବାସୀ ଜାଣିବା ଆବଶ୍ୟକ । ବିଜେଡି ସରକାର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ କି ପ୍ରକାର କାନ୍ଦୁଥିଲେ ସେ ବିଷୟରେ ଓଡ଼ିଶାର ଆଦିବାସୀଙ୍କୁ ଅଛପା ନାହିଁ । ଏନେଇ କେତେଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ନିଜେ କଥା ହୋଇଥିଲେ ମହତାବ । କ୍ୟାବିନେଟ୍ ସାମ୍ନାରେ ଚିଠା ଆଗତ ବେଳେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ ଉଠିନଥିଲା । ହଠାତ୍ ସ୍ପେଶାଲ ମେମୋରାଣ୍ଡମ୍ ଭାବେ ଏହା ସାମ୍ନାକୁ ଆସିଲା । କ୍ୟାବିନେଟ୍ ସରିଲା ବେଳକୁ ଏହା ଅନୁମୋଦନ ହୋଇଛି ବୋଲି ଘୋଷଣା କରାଗଲା, ମାତ୍ର ଏହାକୁ ବିରୋଧ କରିବାରୁ ତାହା ଏପର୍ଯ୍ୟନ୍ତ ସ୍ଥଗିତ ରହିଛି । କ୍ୟାବିନେଟ୍ ଓ ସରକାର କାର୍ଯ୍ୟ କିଭଳି ଚାଲିଛି ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ବୋଲି ସାଂସଦ ମହତାବ ମତବ୍ୟକ୍ତ କରିଛନ୍ତି |

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେଡି ସରକାରରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡି ପଡିଛି । ଓଡ଼ିଶାରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି ଏହା ସୂଚନା ଅଧିକାର ଆଇନ (ଆରଟିଆଇ) ଦ୍ୱାରା ଆମେ ଅବଗତ ଅଛୁ । କିନ୍ତୁ ନବୀନ ବାବୁ ପ୍ରଚାର କରୁଛନ୍ତି, ସେ କୁଆଡେ ଶିକ୍ଷାର ଉନ୍ନତି କରିଛନ୍ତି । ଓଡ଼ିଶାର ଯୁବକଙ୍କୁ ପ୍ରଗତି ଦିଗରେ ନେବାକୁ ହେଲେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଯୁକ୍ତିର ଆବଶ୍ୟକ । ନବୀନ ସରକାର ଗତ ୧୦ବର୍ଷ ଭିତରେ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି । ସେହିପରି ଓଡ଼ିଶାରେ କେତେ ସରକାରୀ ପଦବୀ ଖାଲି ପଡିଛି ତାହା ମଧ୍ୟ ନବୀନ ବାବୁଙ୍କୁ ଜଣାନାହିଁ । ବିଜେପି ପକ୍ଷରୁ “ନିଯୁକ୍ତି ମେଳା” କରି ଯୁବକଙ୍କୁ ନିଯୁକ୍ତି ଦିଆଯାଉଛି । କିନ୍ତୁ ସତ କଥା ହେଉଛି ଓଡିଶାରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ କୌଣସି ପକ୍ରିୟା ହେଉନାହିଁ । ବିଜେପି କ୍ଷମତାକୁ ଆସିଲେ ମୁର୍ମୁଷ ଅବସ୍ଥାରେ ଥିବା ଓପିଏସ୍‌ସିକୁ ସଂଶୋଧନ କରାଯିବ ।
ଓଡ଼ିଶାରେ ୩ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଏଥିରୁ ମିଳିଥିବା ଜନମତରୁ ସ୍ପଷ୍ଟ ଜଣାପଡୁଛି ବିଜେପି ଓଡିଶାରେ ସରକାର ଗଠନ କରିବ । ଆସନ୍ତା ୧ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ହେବ । ଏଥିରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବା ସୁନିଶ୍ଚିତ । ଗତକାଲି ନିର୍ବାଚନ କମିଶନ ୨ଜଣ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଗତ ୩୦ବର୍ଷ ଭିତରେ ଅନ୍ୟ କେଉଁ ରାଜ୍ୟରେ ସେଭଳି ନିଆଯାଇନାହିଁ । ଏଥିରୁ ସ୍ପଷ୍ଟ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବିଜେପି ସରକାର ଆସିଲେ ଯେଉଁ ଅଧିକାରୀମାନେ ଶାସନ କ୍ଷେତ୍ରରେ ରହି କ୍ଷମତାର ଦୁରୁପଯୋଗ ଓ ଅପବ୍ୟବହାର କରୁଛନ୍ତି ସେମାନଙ୍କୁ ଛଡାଯିବ ନାହିଁ । କେତେଜଣ ଅଫିସର ଆସନ ମାଡିବସି ଓଡ଼ିଶାଲୋକଙ୍କୁ ହଇରାଣ ହରକତ କରିବା ସହ କଲବଲ, ମର୍ଯ୍ୟାଦାହାନି ଓ ଉତ୍‌ପୀଡନ କରିଛନ୍ତି । ଏ ସମସ୍ତଙ୍କ ବିରୋଧରେ ବିଜେପି ସରକାରକୁ ଆସିଲେ ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସରକାରୀ ଅଧିକାରୀମାନେ ଦଳ ପାଇଁ କାର୍ଯ୍ୟ ନକରି ସରକାରୀ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ବୋଲି ସାଂସଦ ମହତାବ ସଚେତନ କରାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତିସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *