October 18, 2024

ସମ୍ବଲପୁରରେ ଜଣ୍ଡିସ ପହଂଚିଛନ୍ତି ସ୍ୱତନ୍ତ୍ର ଟିମ

1 min read

ସମ୍ବଲପୁର : ସମ୍ବଲପୁରରେ ଜଣ୍ଡିସ ସ୍ଥିତିର ଅନୁଧ୍ୟାନ କଲେ ସ୍ୱତନ୍ତ୍ର ଟିମ | ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ ଆତଙ୍କ। ସହରର କୁମ୍ଭାରପଡ଼ା, ଶାଲିଆବଗିଚା ଓ ପେନସନପଡ଼ା ଅଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ବୟସ ୧୪ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଏଭଳିସ୍ଥତି ଭୁବନେଶ୍ବରରୁ ଆସିଥିବା ୨ ଜଣିଆ ରାପିଡ ରେସପନ୍ସ ଟିମ୍‌ ସମ୍ବଲପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି। ପରେ ଟିମ୍‌ ସିଡିଏମ୍‌ଓ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସମ୍ବଲପୁର ମହାନଗରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାକୁ ଆଖି ଆଗରେ ରଖି ଭୁବନେଶ୍ବରରୁ ଏକ ସ୍ବାସ୍ଥ୍ୟ ଟିମ୍ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଛନ୍ତି। ଏହି ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହାପରେ ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି।


ସୂଚନାଯୋଗ୍ୟ, ଏବେ ସୁଦ୍ଧା ସମ୍ବଲପୁର ମହାନଗରରେ ୮୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗୁପଚୁପ, ଦହିବରା ଓ ଚୁସକି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ପିଏଚଡି ପାଣି ସନ୍ଦେହ ଘେରକୁ ଆସିଥିଲ । ଏବେ ମଧ୍ୟ ପିଏଚଡି ପାଣିକୁ ନେଇ ଆଶଙ୍କା ପ୍ରକାଶ କରାଯାଉଛି।


ଏବେ ସ୍ୱାସ୍ଥ୍ୟ ଅଧିକାରୀ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରୁଛନ୍ତି। ୪ ଦିନ ଭିତରେ ବେଆଇନ ପାଇପ୍ ଲାଇନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ୨୦୧୩ରେ ସମ୍ବଲପୁରରେ ଜଣ୍ଡିସ ରୋଗରେ ୨୪ ଜଣଙ୍କ ପ୍ରାଣହାନୀ ଘଟି କୁହାଯାଉଥିବା ବେଳେ ସରକାରୀ ଭାବେ ଏହାର ସଂଖ୍ୟା ୧୭ କୁହାଯାଇଥିଲା। ଏହି ସମୟରେ ସହରର ୧ ହଜାରରୁ ଅଧିକ ଆକ୍ରାନ୍ତ ହେଇଥିଲେ। ତେବେ ବର୍ତ୍ତମାନ ସମ୍ବଲପୁରରେ ଚିହ୍ନଟ ହୋଇଥିବା ଜଣ୍ଡିସ ଆକ୍ରାନ୍ତମାନେ ଶୀତଳ ଷଷ୍ଠୀ ସମୟରେ ସଙ୍କ୍ରମିତ ହୋଇଥିବା ଅନୁମାନ କରାଯାଉଛି।

ଦୂଷିତ ପାଣି ବ୍ୟବହାର, ପାନୀୟ ଜଳରେ ଦୂଷିତ ନର୍ଦ୍ଦମାଜଳ ମିଶିବା ଆଦି କାରଣରୁ ସହରରେ ଜଣ୍ଡିସ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆବର୍ଜନା ଜଳ ନିଷ୍କାସନ ପାଇଁ ରହିଥିବା ନାଳ ନର୍ଦ୍ଦମାର ଉପଯୁକ୍ତ ସଫେଇ ଅଭାବ ଜଣ୍ଡିସ ବ୍ୟାପିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ତେବେ ସହରରେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ଅଧିକାଂଶ ସ୍ଥାନରେ ନାଳ ମଧ୍ୟ ଦେଇ ବିଛା ଯାଇଛି। କେତେକ ସ୍ଥାନରେ ନାଳମଧ୍ୟରେ ପାଇପଗୁଡ଼ିକ ଏଭଳି ବିଛା ଯାଇଛି ଯେ କୌଣସି ପ୍ରକାରେ ନାଳ ସଫେଇ କରିବା ସମ୍ଭବ ହୋଇ ପାରୁନାହିଁ। ଫଳରେ ପାନୀୟ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ଫାଟି ନାଳରେ ପ୍ରବାହିତ ଦୂଷିତ ଜଳ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଛି।

Leave a Reply

Your email address will not be published. Required fields are marked *