March 19, 2025

ବୁଧବାର ସକାଳ ପ୍ରାୟ ୭ଟାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି

1 min read

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ କୈଠଖଣ୍ଡିି-ତଲାସିଙ୍ଗି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ବୁଧବାର ସକାଳ ପ୍ରାୟ ୭ଟାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କୈଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୁରେଶୁ ପାତ୍ର। ତାଙ୍କ ଘର ନୂଆଗଡ ଗ୍ରାମରେ ବୋଲି ଜଣାପଡିଛି।

ଦିଗପହଣ୍ଡିରେ ରହୁଥିବା କୁରେଶୁ ପ୍ରତିଦିନ ଭଳି ବୁଧବାର ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସକାଶେ ପନିପରିବା ସାଙ୍ଗରେ ନେଇ ବିଦ୍ୟାଳୟ ଅଭିମୁଖେ ତାଙ୍କ ବାଇକ ନଂ. (ଓଡ଼ି ୦୭ ସି -୯୨୩୦) ଯୋଗେ ଯାଉଥିବବେଳେ ଖମାରିଗାଁ ଶଙ୍କରଖାଳି ଛକରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଥିଲେ। ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ବସ ଓ କୁରେଶୁଙ୍କ ବାଇକକୁ ଜବତ କରିଛନ୍ତି। ବସ ଚାଳକ ଫେରାର ଥିବା ଜଣାପଡିଛି। ଖବର ଜଣାପଡିବା ପରେ କୈଠଖଣ୍ଡିି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼,ଦିଗପହଣ୍ଡି ବ୍ଲକ ଭାର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ, ଏବିଓ ବାଳା ମାଝୀ,ବିଶ୍ରାବା ପାଇକ,ରସାନନ୍ଦ ଘଡେଇ, ଏନପିଏସ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।