March 12, 2025

୨୫୧ ରନ୍‌ରେ ଅଟକିଲା ନ୍ୟୁଜିଲାଣ୍ଡ

1 min read

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଚାଲିଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା। ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଭାରତ ବୋଲିଂ ଆରମ୍ଭ କରିଥିଲା। ଭାରତର ଦମ୍‌ଦାର ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ୍‌ରେ ଅଟକି ଯାଇଥିଲା। ଅନ୍ୟପକ୍ଷେ ଭାରତ ଆଗରେ ୨୫୨ ରନ୍‌ର ବିଜୟ ଟାର୍ଗେଟ ରଖିଛି ନ୍ୟୁଜିଲାଣ୍ଡ।

୨୦୧୩ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଭାରତ ଏଥର ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଭାରତ ୨୦୦୨ ସଂସ୍କରଣରେ ଶ୍ରୀଲଙ୍କା ସହିତ ମିଳିତ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଆଇସିସି ଟୁର୍ନାମେଣ୍ଟ ଜିତିବାକୁ ଉଦ୍ୟମ ଜାରି ରଖିବ।

ଆମନ୍ତ୍ରଣ ପାଇ ଭାରତ ବୋଲିଂ ଆରମ୍ଭ କରିଥିଲା। ନ୍ୟୁଜିଲାଣ୍ଡର ଦୁଇ ଓପନର ୱିଲ ୟଙ୍ଗ ଏବଂ ରାଚିନ ରବୀନ୍ଦ୍ର ପଡିଆକୁ ଓହ୍ଲାଇ ଦଳ ପାଇଁ ପ୍ରାରମ୍ଭିକ ଭଲ ଷ୍ଟାର୍ଟ ଦେଇଥିଲେ। ହେଲେ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଯୋଗୁ ମାତ୍ର ୩ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡର ୩ ପ୍ରମୁଖ ବ୍ୟାଟର ପାଭିଲିୟନ ଫେରିଥିଲେ। ବରୁଣ ୱିଲ ୟଙ୍ଗଙ୍କୁ ଆଉଟ୍‌ କରିଥିବା ବେଳେ କୁଲଦୀପ ଯାଦବ ରଚିନ ରବୀନ୍ଦ୍ରଙ୍କୁ ଆଉଟ କରିଥିଲେ।

ଏହାପରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୱିଲ ୟଙ୍ଗ ୧୫ ରନ୍‌ କରିଥିବା ବେଳେ ରାଚିନ ରବୀନ୍ଦ୍ର ୪ ଚୌକା ଏବଂ ୧ ଛକା ସହାୟତାରେ ୩୭ ରନ୍‌ କରିଥିଲେ। ଏପରିକି କେନ୍‌ ୱିଲିୟମସନ ୧୧ ରନ୍‌ କରି ପାଭିଲିୟନ ଫେରିଥିଲେ। ହେଲେ ଡାରିଲ ମିଚେଲ ଧୈର୍ଯ୍ୟର ସହ ଖେଳି ୧୦୧ ବଲ୍‌ରେ ୬୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଥିଲେ। ଉଇକେଟ କିପର ଟମ୍‌ ଲାଥାମ ୧୧ରନ୍‌ କରିଥିବା ବେଳେ ଶେଷ ବେଳେକୁ ମାଇକେଲ ବ୍ରେସୱେଲ ଦମ୍‌ଦାର ବ୍ୟାଟିଂ କରି ୫୩ ରନ୍‌ର ନଟ୍‌ ଆଉଟ୍‌ ଇନିଂସ ଖେଳି ଥିଲେ। ଅଧିନାୟକ ମିଚେଲ ସାଣ୍ଟନର ୩ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ନାଥନ ସ୍ମିଥ ୮ରନ୍‌ କରିଥିଲେ ଫଳରେ ନ୍ୟୁଜିଲାଣ୍ଡ ୨୫୧ ରନ୍‌ କରିବାରେ ସକ୍ଷମ ହୋଇଥିଲ।

ଭାରତର ମହମ୍ମଦ ଶାମି ଗୋଟିଏ ଉଇକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ଟି କୁଲଦୀପ ଯାଦବ ୨ଟି ଉଇକେଟ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।