ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ
1 min read
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଭଇଁଷା ଗ୍ରାମ ନିକଟ ଓଡ଼ିଶା ଆଦର୍ଶ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗଣିତ ଶିକ୍ଷକ ଅସୁସ୍ଥ ଥିବା ଦର୍ଶାଇ ଛୁଟି ମାଗିଥିଲେ। ହେଲେ ଛୁଟି ନ ମିଳିବାରୁ ନିଜ ଗାଁରୁ ସାଲାଇନ୍ ଲଗାଇ ସ୍କୁଲକୁ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବେଲପଡ଼ା ବ୍ଲକ୍ ଜଲିଆ ଗ୍ରାମର ପ୍ରକାଶ ଭୋଇ ଭଇଁଷା ଗ୍ରାମ ନିକଟରେ ଥିବା ଆଦର୍ଶ ସ୍କୁଲରେ ଗଣିତ ଶିକ୍ଷକ ଅଛନ୍ତି। ତାଙ୍କ ଅଜାଙ୍କ ଦେହାନ୍ତ ହୋଇଥିବାରୁ ସେ ସ୍କୁଲ ଅଧ୍ୟକ୍ଷ ବିଜୟଲକ୍ଷ୍ମୀ ପ୍ରଧାନଙ୍କୁ ଛୁଟି ମାଗିଥିଲେ।
ଏଥିସହ ଶ୍ରୀ ଭୋଇ ନିଜର ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ଦର୍ଶାଇ ସ୍କୁଲର ହ୍ବାଟ୍ସ୍ଆପ୍ ଗ୍ରୁପ୍ ଜରିଆରେ ଛୁଟି ଆବେଦନ କରିଥିଲେ। ହେଲେ ଅଧ୍ୟକ୍ଷ ଛୁଟି ନାମଞ୍ଜୁର କରିବା ସହ ସ୍କୁଲକୁ ଆସିବା ପାଇଁ ଶ୍ରୀ ଭୋଇଙ୍କୁ କହିଥିଲେ। ଅସୁସ୍ଥତା ସତ୍ତ୍ବେ ଗତକାଲି ସେ ସ୍କୁଲ ଆସିଥିବାବେଳେ ତାଙ୍କୁ ବଲାଙ୍ଗୀର ଡିପିସି ଅଫିସକୁ ପଠାଯାଇଥିଲା। ଜ୍ବର ପୀଡ଼ିତ ଶ୍ରୀ ଭୋଇ ଡିପିସି ଅଫିସରେ କାମ ମଧ୍ୟ କରିଥିଲେ। ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗାଁକୁ ଯାଇଥିଲେ। ଗାଁରେ ସାଲାଇନ୍ ମଧ୍ୟ ଲାଗିଥିଲା। ତେବେ ଛୁଟି ମିଳି ନଥିବାରୁ ସାଲାଇନ୍ ଲାଗିଥିବା ଅବସ୍ଥାରେ ଆଜି ସେ ସ୍କୁଲରେ ପହଞ୍ଚିଥିଲେ। ଏ ସମ୍ପର୍କରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀଙ୍କୁ ପଚାରିବାରୁ ଏହାର
ତଦନ୍ତ ହେବ ବୋଲି କହିଛନ୍ତି।