ନୂଆ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ଏଭଳି ସ୍ଥିତିରେ ନଡ୍ଡାଙ୍କ ଓଡ଼ିଶା
1 min read
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ପ୍ରାୟ ଏକ ଘଣ୍ଟା ଧରି ଦଳର କେତେଜଣ ବରିଷ୍ଠ ନେତାଙ୍କ ସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ବିଜେପିର ନୂଆ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ଏଭଳି ସ୍ଥିତିରେ ନଡ୍ଡାଙ୍କ ଓଡ଼ିଶା ଗସ୍ତ ଏହି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି। ନିକଟରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ସରକାରୀ ବାସଭବନରେ ବିଜେପି କୋର୍ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦଳର ରାଜ୍ୟ ସଭାପତି ଚୟନ ନେଇ ଆଲୋଚନା ହୋଇଥିବା ଶୁଣିବାକୁ ମିଳୁଥିଲା। ୨୮ରେ ନଡ୍ଡା ଓଡ଼ିଶା ଗସ୍ତରେ ଆସିଲେ ଏନେଇ ସବୁକିଛି ଚୂଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଥିଲା। ନଡ୍ଡା ତାଙ୍କ ଦୁଇ ଦିନିଆ ଗସ୍ତ କାଳରେ ଦଳୀୟ ନେତାଙ୍କୁ ରାଜ୍ୟ ଅତିଥି ଭବନରେ ଭେଟିବା ବିଷୟ ସେହି କଥାରେ ଏକ ପ୍ରକାର ସତ୍ୟତା ରହିଥିବା କୁହାଯାଉଛି।
ବରିଷ୍ଠ ନେତାଙ୍କ କହିବାନୁଯାୟୀ, ପୂର୍ବରୁ ଦଳର ରାଜ୍ୟ ସଭାପତି ଚୟନ ବିଷୟକୁ ନେଇ ବିଜେପିରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇସାରିଛି। ପୁଣିଥରେ ମନମୋହନ ସାମଲଙ୍କୁ ଏହି ପଦରେ ବସାଯିବ ନା ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବ ଏହା ଉପରେ ନଡ୍ଡା ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ। ନଡ୍ଡା ପୁରୀ କାର୍ଯ୍ୟକ୍ରମ ଶେଷ କରିବା ପରେ ସେଠାରୁ ସିଧାସଳଖ ଅପରାହ୍ନ ୫ଟା ସମୟରେ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ଏକ ଘଣ୍ଟା ସମୟ ରହିଥିଲେ। ଏହାରି ଭିତରେ ତାଙ୍କୁ ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଭେଟି ଆଲୋଚନା କରିଥିଲେ। ଏହାପରେ ସେ ୬ଟା ବେଳକୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ସେଠାରେ କିଛି ସମୟ ବିତାଇବା ପରେ ବିମାନବନ୍ଦରରେ ପହଞ୍ଚତ୍ ପ୍ରାୟ ଅଧଘଣ୍ଟା ପାଖାପାଖି ଆଉ କେତେଜଣ ରାଜ୍ୟ ନେତାଙ୍କ ସହ ସେଠାରେ ଆଲୋଚନା କରିଥିଲେ। ତେବେ ନଡ୍ଡା ଦିଲ୍ଲୀରେ ପହଞ୍ଚତ୍ବା ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ସେ କହିଛନ୍ତି।
ରାଜ୍ୟରେ ବିଜେପି ସରକାର ଆସିବାର ୮ ମାସ ପୂରିଲାଣି। ରାଜ୍ୟରେ ଶାସନ କ୍ଷମତାକୁ ଆସିବା ପରେ ଭାଜପା ରାଜ୍ୟରେ ପ୍ରଥମ ଥର ଲାଗି ନୂଆ ସଭାପତି ଚୟନ କରିବାକୁ ଯାଉଛି। ଶାସକ ଦଳ ହୋଇଥିବାରୁ ଏହି ପଦରେ ଦଳ କାହାକୁ ବସାଇବ ତାକୁ ନେଇ ବହୁ ତର୍ଜମା ଚଳାଇଛି। ତେଣୁ ଏହି ଶୀର୍ଷ ପଦରେ କାହାକୁ ବସାଯିବ ତାକୁ ନେଇ ଦଳର ସବୁସ୍ତରର ନେତାଙ୍କ ମଧ୍ୟରେ ଏକ ପ୍ରକାର ଚର୍ଚ୍ଚା ଚାଲିଛି।