March 12, 2025

ମହଙ୍ଗା ହୋଇପାରେ ବିଜୁଳି

1 min read

ଭୁବନେଶ୍ୱର: ବିଜୁଳି ଜାଳିବା ହୋଇପାରେ ମହଙ୍ଗା। ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟର ଟ୍ୟାଗ ହାତେଇଥିବା ଓଡ଼ିଶାର ଉପଭୋକ୍ତାଙ୍କ ଉପରେ ପଡିପାରେ ବିଜୁଳି ବିଲ୍ ବୋଝ। ଦରବୃଦ୍ଧି ପାଇଁ ବଣ୍ଟନ କମ୍ପାନୀଠାରୁ ଆରମ୍ଭ କରି ଗ୍ରୀଡକୋର ଚାପ ଏବେ ସରକାରଙ୍କ ମାଗଣା ବିଲ୍ ପ୍ରତିଶ୍ରୁତିକୁ ଚେପା କରି ଦେଇପାରେ।
ବିଜୁଳି ଉତ୍ପାଦନରେ ଓଡ଼ିଶାକୁ ବଳକା ରାଜ୍ୟ ଦର୍ଶାଇ ସରକାର ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବିଜୁଳି ବଳକା ଉତ୍ପାଦିତ ରାଜ୍ୟରେ ଏବେ ଉପଭୋକ୍ତାଙ୍କର ବିକଳ ଅବସ୍ଥା। ଆସନ୍ତା ଆର୍ଥିକ ବର୍ଷରୁ ଉପଭୋକ୍ତାଙ୍କୁ ବିଜୁଳି ଦରବୃଦ୍ଧି ପାଇଁ ଓଇଆରସି ଶୁଣାଣି ବେଳେ ଚାପ ସୃଷ୍ଟି କରୁଛନ୍ତି ବିତରକ କମ୍ପାନୀ ଓ ଗ୍ରୀଡକୋ। ଯାହାଫଳରେ ଆଗକୁ ବିଜୁଳି ଦରବୃଦ୍ଧି ହେବା ନେଇ ସଂକେତ ମିଳୁଛି।
ବିଜୁଳି ଦରବୃଦ୍ଧି ହେବନି ବୋଲି ୨ ମାସ ପୂର୍ବରୁ କହି ଉପଭୋକ୍ତାଙ୍କୁ ଆଶ୍ବାସନା ଦେଇଥିଲେ ଶକ୍ତିମନ୍ତ୍ରୀ। ହେଲେ, ସରକାରଙ୍କ ସଂସ୍ଥା ଗ୍ରୀଡକୋ ସରକାରଙ୍କ ବିରୋଧରେ ଗଲାଣି। ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି କଂଗ୍ରେସ ଶୁଣାଇଛି ଚରମବାଣୀ। ସିଧାସଳଖ କହିଛି, ଦରବୃଦ୍ଧି ହେଲେ ଆନ୍ଦୋଳନକୁ ଓହ୍ଲାଇବୁ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୩ ପୂର୍ବରୁ କମିଶନ ନୂଆ ଟାରିଫ ଘୋଷଣା କରିବେ। ଏପ୍ରିଲରୁ ନୂଆ ବିଦ୍ୟୁତ୍ ଦର ଲାଗୁ ହୋଇପାରେ। ଏବେ ବିଜୁଳି ଦର ବଢ଼ିବ କି ନାହିଁ? ଯଦି ବଢ଼ିବ କେତେ ବଢ଼ିବ? ତା ଉପରେ ସମସ୍ତଙ୍କ ନଜର ରହିଛି।