ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
1 min read
ଭୁବନେଶ୍ଵର: ଫେବ୍ରୁଆରି ୨୬ ତାରିଖ ବୁଧବାର ମହାଶିବରାତ୍ରୀ। ବୁଧବାର ରାତି ୧୦ଟାରେ ଭୁବନେଶ୍ଵରସ୍ଥିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ମନ୍ଦିର ଦଧିନୌତି ଉପରେ ମହାଦୀପ ସ୍ଥାପନ କରାଯିବ ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ଶିବରାତ୍ରୀ ସମୟରେ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ଦର୍ଶନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ବ୍ୟବସ୍ଥା କରାଯାଇଛି। ଭକ୍ତ, ସେବାୟତ ଓ ସେମାନଙ୍କ ପରିବାର ତଥା ଭିଆଇପିମାନଙ୍କ ଲାଗି ମହାଶିବରାତ୍ରୀରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି।
ଧାଡ଼ିରେ ଯାଇ ଭକ୍ତମାନେ ଯେପରି ସୁବିଧାରେ ମହାପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ ତଥା ପୂଜାର୍ଚ୍ଚନା କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ମହାଶିବରାତ୍ରୀକୁ ନେଇ ଲିଙ୍ଗରାଜ ମନ୍ଦିର କମିଟି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୁଇଟି ବୈଠକ ଅନୁଷ୍ଠିତ ହୋଇସାରିଛି। ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ମହାଶିବରାତ୍ରୀ ପାଇଁ ପୂର୍ବ ରାତ୍ର ୨ଟା ୩୦ ମିନିଟରେ ମନ୍ଦିର ଲିଙ୍ଗରାଜ ଦ୍ୱାର ଖୋଲିବ। ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବାପରେ ଭୋର ୩ ଟା ୧୦ରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ। ମହାଶିବରାତ୍ରୀକୁ ଜାକଜମକରେ ପାଳନ କରିବା ପାଇଁ ମନ୍ଦିର ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯିବ।
ମହାଶିବରାତ୍ରୀରେ ମନ୍ଦିର ତଥା ଭୁବନେଶ୍ଵର ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଟ୍ରାଫିକ୍ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇ ସମଗ୍ର ଅଞ୍ଚଳରେ ନଜର ରଖାଯିବ