ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ପଙ୍ଗୁ କରିବାକୁ ଷଡ୍ଯନ୍ତ୍ର
1 min read
ଭୁବନେଶ୍ୱର: ରାଜ୍ୟର ପ୍ରଥମ ତଥା ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ପଙ୍ଗୁ କରିବାକୁ ଷଡ୍ଯନ୍ତ୍ର ଚାଲିଛି। ଗୋଟିଏ ପରେ ଗୋଟିଏ ସ୍ଥାନରୁ ରାଜ୍ୟ ସରକାର ଏହି ବିଶ୍ୱବିଦ୍ୟାଳୟର ଜମି ନେଇ ଅନ୍ୟ ସଂସ୍ଥାକୁ ଦେଉଥିବା ବେଳେ ଏବେ ପ୍ରଫେସର ତଥା ବୈଜ୍ଞାନିକ ସଙ୍କଟ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ଏବେ କୃଷି, ପ୍ରାଣୀ ଚିକିତ୍ସା ଓ କୃଷି ଯାନ୍ତ୍ରିକ ମହାବିଦ୍ୟାଳୟରେ ୪୦ଟି ପ୍ରଫେସର ପଦବି ମଧ୍ୟରୁ ୬ଟି ଖାଲିପଡ଼ିଛି। ୨୦୨୬ ସୁଦ୍ଧା ୧୮ଟି କୃଷି, ୧୨ଟି ପ୍ରାଣୀ ଚିକିତ୍ସା ଓ ୪ଟି କୃଷି ଯାନ୍ତ୍ରିକ ସମେତ ୩୪ଟି ପ୍ରଫେସର ପଦବି ଖାଲି ହେବ। ଚିନ୍ତାର କାରଣ ହେଉଛି ଯେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ତଥା ଆସନ୍ତା ଏପ୍ରିଲରୁ ଜୁନ୍ ମଧ୍ୟରେ ୨୦ଜଣ ଡିନ୍, ନିର୍ଦ୍ଦେଶକ, ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ପ୍ରଫେସର ଅବସର ଗ୍ରହଣ କରିବେ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ଜ୍ଞାନକୌଶଳ, ଯନ୍ତ୍ରପାତି ଏବଂ ଅଧିକ ଅମଳକ୍ଷମ ବିହନ, ପ୍ରାଣୀ ତଥା କୁକୁଡ଼ା, ବତକ ଓ ମତ୍ସ୍ୟ ପ୍ରଜାତି ଆଦି ଯୋଗାଇଦେବା କ୍ଷେତ୍ରରେ ଯେଉଁ ପ୍ରଫେସର ତଥା ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ରହିଛି ସେମାନଙ୍କ ଅବସର ପରେ ବିଶ୍ୱବିଦ୍ୟାଳୟ କେଉଁମାନଙ୍କୁ ନେଇ ଚାଲିବ ତାହାକୁ ନେଇ ପ୍ରଶ୍ନ ଉଠିଛି।