ମାତୃଭାଷା ମହାକୁମ୍ଭ ଉଦଘାଟିତ, ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱାରୋପ
1 min read
ଭୁବନେଶ୍ବର, ୨0।0୨: ‘ଭାଷା ମହାକୁମ୍ଭ’ର ପ୍ରଥମ ଦିବସ ରେ ,ଓଡ଼ିଆ ଜାଣିବାକୁ ହେଲେ ଏବଂ ମୁଁ ଓଡ଼ିଆ ବୋଲି ଗର୍ବରେ କହିବାକୁ ହେଲେ ପ୍ରଥମେ ଓଡ଼ିଆ ଭାଷାର ଇତିହାସ ଜାଣିବାକୁ ହେବ ବୋଲି ଓଡ଼ିଶାରେ ତଥା ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ୧୧ତମ ସଂସ୍କରଣରେ ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବେ ଯୋଗଦେଇ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଉପରୋକ୍ତ ମତ ଦେଇଛନ୍ତି । ତାଙ୍କ ଅନୁଯାଇ ମନୁଆଲ୍ ଓ୍ବର୍କରେ ଖାଲି ଅ-ଆ ଲେଖିଦେଲେ ଚଳିବନି, ଆମକୁ ମଡର୍ଣ୍ଣାଇଜ୍ ହେବାକୁ ପଡ଼ିବ। ଏଥିପାଇଁ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଗଠନ ହେଉ, ଯିଏ କି ବିଜ୍ଞାନ, ଟେକ୍ନୋଲୋଜି ସହ ଲାଙ୍ଗୁଏଜ୍ ଓ ଲିଟେରେଚର୍କୁ ସମନ୍ବୟ ବଜାୟ ରଖି ଡିଜିଟାଇଜେସନ୍ ରୂପ ଦେବେ। ଏହି ଅବସରରେ ସେ ଆହୁରି କହିଲେ ଯେ ଆମେରିକାର ଆଦିବାସୀମାନେ ବଣଜଙ୍ଗଲରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ତୋଳି ପୂଜା କରୁଛନ୍ତି ଏବଂ ଇଷ୍ଟ ମାନନ୍ତି। ତେଣୁ ଏହି ବାର୍ତ୍ତା ଆମ ଓଡ଼ିଆ ହିଁ ସେଠାରେ ପହଞ୍ଚାଇଥିବାର ସ୍ପଷ୍ଟ ଅନୁମେୟ। ତେବେ ଏ ସମ୍ପର୍କରେ ଉଚ୍ଚ ଗବେଷଣା ହେବା ଦରକାର।
ସେହିପରି ଅନ୍ୟତମ ଅତିଥି ଭାଷାବିତ୍ ତଥା ସାହିତ୍ୟିକ ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କ ମତରେ ଟେକ୍ନୋଲୋଜି ଆପଣାଇବାକୁ ହେବ ଏବଂ ଆମକୁ ଯୁଗୋପଯୋଗୀ ହେବାକୁ ପଡ଼ିବ। ଅତିଥି ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାଷାର ବ୍ୟାପକ ବ୍ୟବହାରକୁ ଗୁରୁତ୍ବାରୋପ କରିଥିବାବେଳେ ସାହିତ୍ୟିକ ବିବୁଧ ରଞ୍ଜନ ସମ୍ପ୍ରତି ସ୍ଥାନାନ୍ତରଣ ଓ ଟେକ୍ନୋଲୋଜି ଯୁଗରେ ପରିଚୟକୁ ବଳିଷ୍ଠ କରିବା ପାଇଁ ଭାଷା ଓ ଐତିହ୍ୟ ନିହାତି ଜାଣିବା ଉଚିତ୍ ବୋଲି ମତ ଦେଇଛନ୍ତି। ବିଶେଷକରି ମାତୃଭାଷାକୁ ନେଇ ଗଣଉତ୍ସବ ପାଳନ ହେବା ଦରକାର ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସେହିପରି ଡ. ଭଗବାନ ପ୍ରକାଶ ଙ୍କ ଅନୁଯାଇ ଇଂଲଣ୍ଡରେ ୬ କୋଟି ଲୋକ ଇଂରାଜୀ କହୁଥିବା ବେଳେ ଭାରତରେ ୧୨ କୋଟି ଲୋକ ଇଂରାଜୀ ଭାଷା ବ୍ୟବହାର କରନ୍ତି। ପ୍ରଥମ ପର୍ଯ୍ୟାୟର ଅନ୍ୟତମ ମଞ୍ଚ ପରିଚାଳକ ତଥା ବରିଷ୍ଠ ସ୍ତମ୍ଭକାର ଡ. ଭଗବାନ ପ୍ରକାଶ ଏହି ତଥ୍ୟ ପ୍ରଦାନ ସହ ସବୁଠାରୁ ଯୁକ୍ତିସଂଗତ ଓ କମ୍ପ୍ୟୁଟର୍ ଫ୍ରେଣ୍ଡ୍ଲି ଲାଙ୍ଗୁଏଜ୍ ସଂସ୍କୃତ ବୋଲି ପ୍ରମାଣିତ ହୋଇଥିବା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ଓଡ଼ିଆକୁ ଜୀବନ ଓ ଜୀବିକାର ଭାଷା କରିବା ପାଇଁ ନିହାତି ଡିଜିଟାଇଜେସନ୍ ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।
ଏବଂ ଓଡ଼ିଆ ଭାଷାର ମାନକ ନିର୍ଦ୍ଧାରଣ ଏବଂ ଏହି କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ସହ ସମାଧାନର ରାସ୍ତା ଦେଖାଇଛନ୍ତି ମରାଠୀ ଭାଷାର ଦକ୍ଷ ବ୍ୟକ୍ତିତ୍ବ ତଥା ବହୁଭାଷାରେ ଧୂରୀଣ ଡ. ମହେଶ କୁଲକର୍ଣ୍ଣି। ମରାଠୀ ଭାଷାର ଏନ୍ସାଇକ୍ଲୋପିଡିଆ ସମ୍ପୂର୍ଣ୍ଣ ଭାବେ ୟୁନିକୋଡ୍ରେ କନ୍ଭର୍ଟ କରାଯାଇଛି ଏବଂ ସେଣ୍ଟର୍ ଅଫ୍ ଏକ୍ସଲେନ୍ସି ସଫଳତାର ସହ କାର୍ଯ୍ୟ କରୁଛି। ଓଡ଼ିଶା ସରକାର ମଧ୍ୟ ଏହାକୁ ଗୁରୁତ୍ବ ଦେଇ ଡିଜିଟାଇସେନ୍ ପ୍ରତି ପ୍ରାଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି।
ସେହିପରି ବିଶ୍ବର ଅନ୍ୟ ଭାଷା ଭଳି ଓଡ଼ିଆକୁ ସମୃଦ୍ଧି ଓ ଅଗ୍ରଗତି କରାଇବାକୁ ଗୁରୁତ୍ବ ଦେଇଥିବା ପ୍ରଫେସର ଉଦୟନାଥ ସାହୁ କୃତ୍ରିମ ବୁଦ୍ଧିମତା (ଓସିଆର୍) ଓଡ଼ିଆରେ ହୋଇପାରିନଥିବା କହିଛନ୍ତି। ସେହିପରି ଆଇଫୋନ୍ରେ ଯୁକ୍ତାକ୍ଷର ସମସ୍ୟା ରହିଥିବାରୁ ଅନୁସ୍ବାର ଦେଇ ଲେଖାଯାଉଛି। ତେଣୁ ନିୟମ ଅନୁଯାୟୀ, ବିଶ୍ଳେଷଣ ଅନୁସାରେ ବିଭିନ୍ନ କ୍ଷେତ୍ରରେ ଟ୍ରାନ୍ସଲେଟ୍ ଆବଶ୍ୟକ, ଯାହାକି ବାଣିଜ୍ୟ, ବିଜ୍ଞାନ, ସାମ୍ବାଦିକତା ଆଦି ପ୍ରତିଟି କ୍ଷେତ୍ରରେ ସହାୟକ ହୋଇପାରିବ। ବିଶେଷକରି ଯାନ୍ତ୍ରିକ ଅନୁବାଦରେ ୮୦ ପ୍ରତିଶତ ସଫଳତା ମିଳିଲେ ଖୁସିଲାଗନ୍ତା ବୋଲି ପ୍ରଫେସର ସାହୁ ମତ ଦେଇଛନ୍ତି।
ଟେକ୍ନୋଲୋଜି କ୍ଷେତ୍ରରେ ଦୀର୍ଘବର୍ଷର ଅଭିଜ୍ଞତା ହାସଲ କରିଥିବା ଉଦୟନାଥ ମହାନ୍ତି ଡିଜିଟାଇଜେସନ୍ ଓ ଡିଜିଟାଲାଇଜେସନ୍ ସମ୍ପର୍କରେ ବିଶଦ ବିବରଣୀ ଦେଇଛନ୍ତି। ଏଥିସହ ଆଇଟି କମ୍ପାନୀଗୁଡ଼ିକରେ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍ ଏବଂ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଟ୍ରାଡିସନାଲ୍ ନଲେଜ୍ ଡିଜିଟାଇଜେସନ୍ ଲାବରୋଟରୀ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ ପାରମ୍ପରିକ ଜ୍ଞାନକୁ ଏକତ୍ରିକରଣ କଲେ ତାହା ଭବିଷ୍ୟତ ପିଢ଼ି ପାଇଁ ସମ୍ପଦ ହୋଇପାରିବ। ତେଣୁ ଡିଜିଟାଇଜେସନ୍ ନିହାତି ଜରୁରୀ।
ପର ପିଢ଼ି ପାଇଁ ସଂରକ୍ଷଣ କ୍ଷେତ୍ରରେ ଦୀର୍ଘଦିନ ଧରି ସୃଜନିକା କାମ କରିଆସୁଛି। ଏହାର ଆରମ୍ଭ, ପରିଚାଳନା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ‘ସୃଜନିକା’ରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ପୁଷ୍ପାଶ୍ରୀ ପଟ୍ଟନାୟକ। ତେବେ ‘ଓଡ଼ିଆ ବିଭବ’ ପୋର୍ଟାଲ ଉତ୍ତମ କାର୍ଯ୍ୟ କରିଚାଲିଥିଲେ ମଧ୍ୟ ଆଇଫୋନ୍ରେ ଓଡ଼ିଆ ଭାଷାକୋଷ ଉପଲବ୍ଧ କରାଯାଇ ପାରିନି ବୋଲି ସେ ମତ ରଖିଛନ୍ତି। ସେହିପରି ନେଟ୍ ନାହିଁ ମାନେ ସୃଜନିକା ସେ ସମ୍ପର୍କରେ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି।
ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ତମସା ଦାସ ପଟ୍ଟନାୟକ ଏକଦା ଅକ୍ଷର ସଜ୍ଜାଇବାରେ ଓ ପୁରୁଣାକାଳର ଟାଇପ୍ରେ ଯୁକ୍ତାକ୍ଷର ଲେଖିବା କଷ୍ଟକର ଥିବାରୁ ଅନୁସ୍ବାର ଦିଆଯାଉଥିଲା କିନ୍ତୁ ଏବେ ସବୁକିଛି ସମ୍ଭବ ବୋଲି କହିଛନ୍ତି। ତେବେ ପ୍ରଥମେ ବର୍ଣ୍ଣମାଳାରେ କେତୋଟି ଅକ୍ଷର ରହିବ ତାହାର ନିର୍ଦ୍ଧାରଣ, କାର୍ଯ୍ୟ ବିଭାଗୀକରଣ, ଭାଷାର ବିବିଧତାରେ ସମନ୍ବୟ ବଜାୟ ରଖି ଡିଜିଟାଇଜେସନ୍ ପ୍ରତି ଶ୍ରୀମତୀ ମହାପାତ୍ର ମତ ପ୍ରକାଶ କରିଛନ୍ତି।
ଓଡ଼ିଶା ସରକାରଙ୍କ ଓକାକ୍ ଦ୍ବାରା ପରିଚାଳିତ ଓଡ଼ିଶା ଭର୍ଚୁଆଲ୍ ଏକାଡେମୀ (ଓଭା) ସହ ଅନୁବନ୍ଧିତ ୱେବ୍କ୍ରଞ୍ଚ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ରଞ୍ଜିତ୍ ପାତ୍ର ଏକ ସୁନ୍ଦର ଅଡିଓ – ଭିଜୁଆଲ୍ ଉପସ୍ଥାପନ କରିଥିଲେ। ଓଡ଼ିଆ ଫଣ୍ଟ, ଆଦିବାସୀ ଭାଷାର ଲିପି, ଟ୍ରାନ୍ସଲେଟ୍ ଓ ଡିକ୍ସନାରୀ ଟୁଲ୍ସ, ଟେକ୍ସ୍ଟ ଟୁ ସ୍ପିଚ୍ ଏବଂ ସ୍ପିଚ୍ ଟୁ ଟେକ୍ସ୍ଟ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ୱେବ୍କ୍ରଞ୍ଚ୍ କେତେଦୂର ସଫଳ ହୋଇଛି ଏବଂ ଆଗକୁ ପ୍ରୋ- ଭର୍ସନ ଭାବେ ଆହୁରି ଉନ୍ନତ ଟୁଲ୍ସ କଣ ସବୁ ଆସୁଛି ସେ ସମ୍ପର୍କରେ ସୁନ୍ଦର ବର୍ଣ୍ଣନା କରିଥିଲେ ରଞ୍ଜିତ୍।
ପରଂବ୍ରହ୍ମ ତ୍ରିପାଠୀଙ୍କ ପରିଚାଳନାରେ ଅନ୍ତିମ ସୋପାନରେ ଭାଷା, ୟୁନିକୋଡ୍ ଆଦିକୁ ନେଇ ଆହୁରି ଅନେକ ଆଲୋଚନା – ପର୍ଯ୍ୟାଲୋଚନା ହୋଇଥିଲା। ସୁଲେଖକ ସୁବାସ ଚନ୍ଦ୍ର ରାଉତଙ୍କ ସହ ଯୁବ ଭାଷା ଗବେଷକ ବିଷ୍ଣୁ ମୋହନ ଅଧିକାରୀଙ୍କ ଆଲୋଚନା ସମସ୍ତଙ୍କ ମନ ଜିଣିନେଇଥିଲା। ଇଣ୍ଟେଲେକ୍ଟ ସଂସ୍ଥାର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତଙ୍କ ସ୍ବାଗତ ଭାଷଣ ଓ ସଂଯୋଜନାରେ ଓଡ଼ିଶା ଭର୍ଚୁଆଲ୍ ଏକାଡେମୀ ପକ୍ଷରୁ ସ୍ମୃତିରଞ୍ଜନ ମିଶ୍ର, ୱେବ୍କ୍ରଞ୍ଚ୍ର ସିନିଅର୍ ଟେକ୍ନିକାଲ୍ ଆଡ୍ଭାଇଜର୍ ସୁଧୀର ପଟେଲ, ପରିଚାଳନା ନିର୍ଦ୍ଦେଶକ ଅରୁଣ ନାୟକଙ୍କ ସମେତ ଅନେକ ସାହିତ୍ୟିକ, ଭାଷାବିଶେଷଜ୍ଞ, ଭାଷାପ୍ରେମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରତିଟି ପର୍ଯ୍ୟାୟରେ ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।