March 12, 2025

୭ ବର୍ଷ ହେଲା ହୋଇନି ପୁରୀ ପୌରପାଳିକା ନିର୍ବାଚନ

1 min read

ପୁରୀ: ଦୀର୍ଘ ୭ ବର୍ଷ ହେଲା ହୋଇନି ପୁରୀ ପୌରପାଳିକା ନିର୍ବାଚନ। ଏ ପରିପ୍ରେକ୍ଷୀରେ ଆଜି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ ପୁରୀ ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଫଳରେ ପୁରୀ ପୌରପାଳିକା ନିର୍ବାଚନ ପାଇଁ ବାଟ ଫିଟିପାରେ ବୋଲି ଆଶା ସଞ୍ଚାର ହୋଇଛି।

ମହାପ୍ରଭୁଙ୍କ ଦର୍ଶନ ପରେ ରାଜ୍ୟ ନିର୍ବାଚନ କମିସନର ଶ୍ରୀ ପାଢ଼ୀ ପୁରୀ ସର୍କିଟ୍‌ହାଉସ୍‌ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ପାଢ଼ୀ ଏହି ଅବସରରେ ପୁରୀ ପୌରପାଳିକାର ନିର୍ବାଚନ ସ୍ଥିତି, ପରିଚାଳନା ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଓ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ୭ ବର୍ଷ ହେଲା ନିର୍ବାଚନ ହୋଇ ନ ଥିବାରୁ ବିନା ପୌର ପରିଷଦରେ ପୁରୀ ପୌରପାଳିକା ଚଳାଇବା କଷ୍ଟକର ହେଉଛି ବୋଲି କହିଥିଲେ। ପୌରପାଳିକାର ୱାର୍ଡ ସଂପ୍ରସାରଣ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ହୋଇ ପାରୁନଥିବା ନିର୍ବାଚନ କମିସନରଙ୍କୁ ଅବଗତ କରାଯାଇଥିଲା।