ଟ୍ରାଫିକ୍ ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ପାଇବେ ରାଜଧାନୀବାସୀ
1 min read
ଭୁବନେଶ୍ଵର: ଟ୍ରାଫିକ୍ ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ପାଇବେ ରାଜଧାନୀବାସୀ। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର କାମ। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପକୁ ସରକାରଙ୍କ ଅନୁମତି ମିଳିସାରିଛି। ଖୁବଶୀଘ୍ର ଟେକ୍ନିକାଲ କାମ ଆରମ୍ଭ ହେବ। ଜୟଦେବ ବିହାର ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାହାକୁ ସଂଯୋଗ କରି ନନ୍ଦନକାନନ ପର୍ଯ୍ୟନ୍ତ ଯିବ ଏହି ନୂଆ ଫ୍ଲାଏଓଭର। ଏଥିସହ ମଝିରେ ମଝିରେ ବଡ଼ ବଡ଼ ଛକ ଥିବା ସ୍ଥାନରେ ରହିବ ଏସ୍କେପ୍ ଓ୍ବେ। ଯଦ୍ଵାରା ଓଭରବ୍ରିଜ୍ ଉପରେ ଯାଉଥିବା ଲୋକଙ୍କୁ ତଳକୁ ଓହ୍ଲାଇବାକୁ ସୁବିଧା ହେବ। ଯେଉଁ ରାସ୍ତା ତଳେ ଚାଲିଛି, ତାହା ଚାଲୁ ରହିବ। ଏଥିସହ ଉପରେ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ, ଯାହା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ପାଲଟିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ୨୦୨୭-୨୮ ଆର୍ଥିକ ବର୍ଷସୁଦ୍ଧା ଏହି ପ୍ରକଳ୍ପର ବଡ଼ ଭାଗ ଶେଷ ହେବା ନେଇ ଆଶା ରଖିଥିବା ସେ କହିଛନ୍ତି।