February 5, 2025

ଓଡ଼ିଶାରେ ଜାନୁଆରି ୧୫ ସୁଦ୍ଧା ସରିବ ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା

1 min read

ଭୁବନେଶ୍ୱର: ଓଡ଼ିଶାରେ ଜାନୁଆରି ୧୫ ତାରିଖ ସୁଦ୍ଧା ସରିବ ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା। ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଇ-କେୱାଇସି ସରିଥିବାବେଳେ ଏବେ ଯାଏଁ ୫୦ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

“ରାଜ୍ୟ ସରକାର ସବୁ ହିତାଧିକାରୀଙ୍କ ଇ-କେୱାଇସି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯେଉଁମାନେ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି। ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ। ଜାନୁଆରି ୧୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସରିବ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ଗତ ୫ ମାସ ହେଲା ରାଜ୍ୟରେ ଇ-କେୱାଇସି ଜାରି ରହିଛି। ଏହାରି ମଧ୍ୟରେ ଅନେକ ଭୂତ ହିତାଧିକାରୀ ଚିହ୍ନଟ ହେଲେଣି। ରାଜ୍ୟରେ ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ।”

ଓଡ଼ିଶାରେ ପ୍ରାୟ ୮୫ ଲକ୍ଷ ରାସନ୍‌ କାର୍ଡ ରହିଛି। ଏହା ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଯାଞ୍ଚ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଖାଉଟି ସାମଗ୍ରୀ ବିକ୍ରି ହେଉଥିଲା। ଯାହା ଫଳରେ ଅନେକ ପରିମାଣରେ ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏଥିରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି।